ଓଟାୱା: ପିଲାମାନଙ୍କୁ ଅନଲାଇନ୍ ବିପଦରୁ ସୁରକ୍ଷା ଦେବା ପାଇଁ କାନାଡା ସରକାର ଏକ ନୂଆ ଆଇନ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ପ୍ରସ୍ତାବିତ ଆଇନ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିପାରିବେ ନାହିଁ। ତେବେ ଯେଉଁ ପ୍ଲାଟଫର୍ମଗୁଡ଼ିକ ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିବା ପ୍ରମାଣ ଦେବେ, ସେମାନଙ୍କୁ ଛାଡ଼ ମିଳିପାରେ।
କାନାଡା ସରକାର ଏହି ଆଇନର କାର୍ଯ୍ୟକାରିତା ପାଇଁ ଏକ ନୂତନ ସଂସ୍ଥା — Digital Safety Commission of Canada — ଗଠନ କରିବାକୁ ଯାଉଛି। ଏହା ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ପାଇଁ ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରଣ କରିବ ଏବଂ ବୟସ ଯାଞ୍ଚ ବ୍ୟବସ୍ଥା ଉପରେ ନଜର ରଖିବ।
ପ୍ରସ୍ତାବିତ ଆଇନରେ ଆତ୍ମକ୍ଷତି, ହିଂସା, ଘୃଣା ପ୍ରଚାର ଏବଂ ଅନୁମତି ବିନା ବ୍ୟକ୍ତିଗତ ଚିତ୍ର ସେୟାର କରିବା ଭଳି କ୍ଷତିକାରକ ଅନଲାଇନ୍ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ରହିଛି। ଏହା ସହିତ AI ଚାଟବଟ୍ ବିକାଶ କରୁଥିବା କମ୍ପାନିଗୁଡ଼ିକୁ ମଧ୍ୟ ସୁରକ୍ଷା ନିୟମ ମାନିବାକୁ ପଡ଼ିବ।
ଅଷ୍ଟ୍ରେଲିଆ ସହ ଅନେକ ଦେଶ ପୂର୍ବରୁ ଶିଶୁମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ବୟସ-ଭିତ୍ତିକ ନିୟମ ଲାଗୁ କରିସାରିଛନ୍ତି। କାନାଡା କହିଛି ଯେ ସେ ଅନ୍ୟ ଦେଶର ଅନୁଭବରୁ ଶିଖି ଏହି ନୂଆ ଆଇନ କାର୍ଯ୍ୟକାରୀ କରିବ।


