ରାମଗଡ଼: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଥିବା ଏକ ବେଆଇନ କୋଇଲା ଖଣିରେ ଘଟିଥିବା ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆର୍ଗାଡା ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଥିବା ଏହି ଖଣିରେ ବିଷାକ୍ତ ଗ୍ୟାସର ପ୍ରଭାବ ଏବଂ ଅମ୍ଳଜାନର ଅଭାବ ଯୋଗୁଁ ଶ୍ରମିକମାନେ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି।
କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଶ୍ରମିକମାନେ ପ୍ରାୟ ୪୦ ଫୁଟ ଗଭୀର ଖଣି ଭିତରେ କୋଇଲା ଖନନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏହି ଅଘଟଣ ଘଟିଥିଲା। ହଠାତ୍ ଅମ୍ଳଜାନର ଅଭାବ ଏବଂ ବିଷାକ୍ତ ଗ୍ୟାସର ପ୍ରଭାବରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ।
ଘଟଣାର ଖବର ପାଇବା ପରେ ସେଣ୍ଟ୍ରାଲ୍ କୋଲଫିଲ୍ଡସ୍ ଲିମିଟେଡ୍ (ସିସିଏଲ୍)ର ଆର୍ଗାଡା ୟୁନିଟ୍ରୁ ଏକ ଉଦ୍ଧାରକାରୀ ଦଳକୁ ତୁରନ୍ତ ପଠାଯାଇଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ଶ୍ରମିକମାନଙ୍କୁ ଖଣିରୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଥମେ ଦୁଇ ଜଣ ଶ୍ରମିକ ଖଣି ଭିତରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ ସେହି ବିପଦରେ ପଡ଼ିଥିଲେ। ଫଳରେ ଚାରି ଜଣଙ୍କ ଜୀବନ ଚାଲିଯାଇଥିଲା।
ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ବେଆଇନ ଖଣି କାର୍ଯ୍ୟକଳାପ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ପୁଲିସ ଓ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


