ମହାରାଷ୍ଟ୍ର ରାଜନୀତି ପୁଣି ଥରେ ଅସ୍ଥିର। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା ଖଣ୍ଡ ଖଣ୍ଡ ହେବାକୁ ଯାଉଛି। ଉଦ୍ଧବ ଠାକରେଙ୍କ ପାଇଁ ଏହି ପରିସ୍ଥିତି ଦଳର ଅସ୍ତିତ୍ୱ ଓ ଏକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଶିବସେନା (UBT) ନିଜ ଅସ୍ତିତ୍ୱ ପାଇଁ ସଙ୍କଟର ସମ୍ମୁଖୀନ ହେଉଛି। ଶିବସେନାର 60ତମ ବାର୍ଷିକୀ ପାଖେଇ ଆସୁଥିବାରୁ, ଦଶନ୍ଧି ଧରି ମୁମ୍ବାଇରେ ଶାସନ କରୁଥିବା ଏହି ଦଳ ଏବେ ବିପଦର ସମ୍ମୁଖୀନ ହେଉଛି।
ରିପୋର୍ଟ ଅନୁସାରେ, ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ୬ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେବା ପାଇଁ ସକ୍ରିୟ ଆଲୋଚନାରେ ଅଛନ୍ତି। ଏହାକୁ ନେଇ ଦିଲ୍ଲୀ ରାଜନୀତି ମଧ୍ୟରେ ହଠାତ୍ ହଲଚଲ ଦେଖାଦେଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖାଯିବା ଖବର ଏହି ସଙ୍କଟକୁ ଆହୁରି ଗମ୍ଭୀର କରିଦେଇଛି।
ଦଳ ଭିତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବାବେଳେ, ଉଦ୍ଧବ ଠାକରେ ନୂଆଦିଲ୍ଲୀରେ ସଂସଦୀୟ ବୈଠକ ଡାକିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ମଧ୍ୟ ବିଦ୍ରୋହୀ ସାଂସଦ ଉପସ୍ଥିତ ହୋଇନଥିଲେ—ଯାହାକୁ ରାଜନୈତିକ ମହଲରେ “ବିଦ୍ରୋହର ଖୋଲା ସଙ୍କେତ” ବୋଲି କହୁଛନ୍ତି।
ଦଳର ଛଅ ଜଣ ସାଂସଦ ଏକନାଥ ସିନ୍ଦେରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ମଧ୍ୟରେ ଉଦ୍ଧବ ଠାକରେ ଏକ କଠୋର ଆକ୍ରମଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି, “ସେ ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ଏହି ସମୟରେ ଉଦ୍ଧବ ଠାକରେଙ୍କ କଡ଼ା ମନ୍ତବ୍ୟ ରାଜନୀତିକ ତାପକୁ ଆହୁରି ଅଧିକ ବଢ଼ାଇଛି ।
ଏହି ସଙ୍କଟକୁ ରାଜନୀତିକ ଭାଷାରେ “ଅପରେସନ ଟାଇଗର” ବୋଲି କୁହାଯାଉଛି। ଦଳକୁ ଏହି ସଙ୍କଟରୁ ରୋକିବା ପାଇଁ ସଞ୍ଜୟ ରାଉତ ଓ ଅନ୍ୟ ନେତାମାନେ ଦିଲ୍ଲୀରେ ଆଇନଗତ ଓ ରଣନୀତିକ ଚର୍ଚ୍ଚା କରୁଛନ୍ତି। ଅପରପକ୍ଷରେ ଦଳୀୟ ଚିହ୍ନ ବିବାଦ ମାମଲାକୁ ନେଇ ମଧ୍ୟ ରଣନୀତି ତୀବ୍ର ହୋଇଯାଇଛି।
ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ, ଏହି ଘଟଣା କେବଳ ଦଳୀୟ ସଙ୍କଟ ନୁହେଁ, ବରଂ ମହାରାଷ୍ଟ୍ରର ଶକ୍ତି ସମୀକରଣକୁ ନୂଆ ଭାବରେ ଲେଖିପାରେ। କେହି କେହି ଏହାକୁ “କ୍ଷମତା ବନାମ ଆସ୍ଥା”ର ଲଢ଼େଇ ଭାବେ ଦେଖୁଛନ୍ତି। ଦଳର 60ତମ ବାର୍ଷିକୀ ପୂର୍ବରୁ ଏହି ଗଭୀର ସଙ୍କଟ ଉଦ୍ଧବ ଠାକରେଙ୍କ ନେତୃତ୍ୱ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ତେବେ ବାଲାସାହେବ ଠାକରେଙ୍କ ଶିବସେନା ଏକତା ବଜାୟ ରଖି ପାରିବ, ନା ପୁଣିଥରେ ମହାରାଷ୍ଟ୍ର ରାଜନୀତି ଆଉ ଏକ ବିଭାଜନର ସାକ୍ଷୀ ହେବ, ତାହା ସମୟ କହିବ ।


