ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ମା’ ମଣିନାଗଙ୍କ ପବିତ୍ର ପୀଠରେ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଉତ୍ସବ ଜୁନ ୨୦ ତାରିଖରୁ ଆରମ୍ଭ ହୋଇ ଜୁନ ୨୪ ତାରିଖ ପର୍ଯ୍ୟନ୍ତ ଧାର୍ମିକ ଆଚାର-ବିଚାର ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଅନୁଷ୍ଠିତ ହେବ।
ଆଜି ରବିବାର ମହୋତ୍ସବର ଅନ୍ୟତମ ଆକର୍ଷଣ ପବିତ୍ର କଳସ ଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଯାଇଛି। ଏହି କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ, ମହିଳା ଓ ଯୁବକମାନେ ଯୋଗଦେଇ ଭକ୍ତିର ସ୍ରୋତ ସୃଷ୍ଟି କରିଥିଲେ। ରଣପୁରର ପ୍ରସିଦ୍ଧ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବା ବଧି ପୁଷ୍କରିଣୀରୁ ପବିତ୍ର ଜଳ କଳସରେ ସଂଗ୍ରହ କରାଯାଇ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ହରିବୋଲ, ଜୟ ମା’ ମଣିନାଗ ଧ୍ୱନି ଏବଂ ଭଜନ-କୀର୍ତ୍ତନ ମଧ୍ୟରେ ଭକ୍ତମାନେ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଞ୍ଚିଥିଲେ।
ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଯଜ୍ଞ, ପୂର୍ଣ୍ଣାହୁତି, ନଗର ପରିକ୍ରମା, ମନ୍ଦିର ପ୍ରତିଷ୍ଠା, ମହାଯଜ୍ଞ ଏବଂ ପ୍ରସାଦ ସେବନ ଭଳି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମଗ୍ର ଅଞ୍ଚଳ ବର୍ତ୍ତମାନ ଭକ୍ତି, ଆଧ୍ୟାତ୍ମିକତା ଓ ଉତ୍ସାହରେ ମୁଖରିତ ହୋଇଉଠିଛି।
ମା’ ମଣିନାଗଙ୍କ ଅପାର କୃପା ଲାଭ ପାଇଁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେଉଥିବା ବେଳେ, ମହୋତ୍ସବର ସଫଳ ଆୟୋଜନ ପାଇଁ ଆୟୋଜକ କମିଟି ଓ ସ୍ଥାନୀୟ ଜନସାଧାରଣ ସକ୍ରିୟ ସହଯୋଗ କରୁଛନ୍ତି। ମହୋତ୍ସବର ଶେଷ ଦିନ ୨୪ ତାରିଖରେ ମନ୍ଦିର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ସହ ବିଶାଳ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।


