Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ଗଠନ ହେଲା ଶିକ୍ଷକ ମହାସଂଘ

ରଣପୁର: ଆଜି ରଣପୁର ଶିକ୍ଷା ବ୍ଲକରେ ଶିକ୍ଷକ ମହାସଂଘ ବା ଶିକ୍ଷକ ସମନ୍ୱୟ କମିଟି ଗଠନ ହୋଇ ଯାଇଛି। ରଣପୁର ମଣିନାଗ ପାହାଡ଼ ପାଦ ଦେଶରେ ଥିବା ମା’ ମଣିନାଗଙ୍କ ପୀଠରେ ଏହି ଶିକ୍ଷକ ମହାସଂଘ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ସମ୍ପାଦକ ନୀଳକଣ୍ଠ ରଥ, ନୂତନ ପେନସନ ଯୋଜନା ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ପିଟିଆଇ ସଙ୍ଘର ସଭାପତି ଲଡ଼ୁକିଶୋର ପ୍ରଧାନ, ଗଣ ଶିକ୍ଷକ ସଂଘର ସଭାପତି ବସନ୍ତ କୁମାର ବେହେରା, ଟେକେନ ଓଭର ଶିକ୍ଷକ ସଂଘର ସଭାପତି ବ୍ରଜ କିଶୋର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ। ଶିକ୍ଷକ ଅଶୋକ କୁମାର ଦାଶଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସମସ୍ତ ସର୍କଲର ସଭାପତିମାନେ ମଧ୍ୟ ମଂଚାସୀନ ଥିଲେ।

ଏହି ବୈଠକରେ ପ୍ରାଥମିକ ଶିକ୍ଷକ ସଂଘ, ମଧ୍ୟ ଇଂରାଜୀ ଶିକ୍ଷକ ସଂଘ, ନୂତନ ପେନସନ ଭୂକ୍ତ ଶିକ୍ଷକ ସଂଘ, ଏକ୍ସ-କ୍ୟାଡ଼ର ଶିକ୍ଷକ ସଂଘ, ଗଣ ଶିକ୍ଷକ ସଂଘ, ଟେକେନ ଓଭର ଶିକ୍ଷକ ସଂଘ, ନିୟୁ ଟେକେନ ଓଭର ସଂଘ, ପିଟିଆଇ ଶିକ୍ଷକ ସଙ୍ଘ ପ୍ରଭୃତି ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ସମୁଦାୟ ୬୫୫ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ। ଏଥିରେ ପ୍ରାଥମିକ ଶିକ୍ଷକ ସଙ୍ଘ ନୂତନ ପେନସନ ଭୂକ୍ତ ଶିକ୍ଷକ ସଂଘ, ଏକ୍ସ-କ୍ୟାଡ଼ର ଶିକ୍ଷକ ସଂଘ, ଗଣ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।

ନୂତନ ଭାବେ ଗଠିତ ହୋଇଥିବା ଶିକ୍ଷକ ସମନ୍ୱୟ କମିଟିର ସଭାପତି ଭାବେ ପ୍ରଫୁଲ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଭାବେ ଅନିଲ କୁମାର ପାଇକରାୟ, ଉପସଭାପତି ଭାବେ ନୀଳକଣ୍ଠ ରଥ, ସ୍ମୃତି ରଞ୍ଜନ ଦାଶ, ଅଜୟ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ କର ନିର୍ବାଚିତ ହୋଇଛନ୍ତି। ସଂଗଠନ ସାଧାରଣ ସମ୍ପାଦକ ଭାବେ ବସନ୍ତ କୁମାର ବେହେରା, ଅଶୋକ କୁମାର ବେହେରା, ବସନ୍ତ କୁମାର ବେହୁରା , ବିଜୟା ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ବ୍ରଜ କିଶୋର ପଟ୍ଟନାୟକ, ସୁଶାନ୍ତ କୁମାର ପ୍ରଧାନ, କୁଳମଣି ପଟ୍ଟନାୟକ, ମହେନ୍ଦ୍ର କୁମାର ସୁବୁଦ୍ଧି, ଭାସ୍କର ଚନ୍ଦ୍ର ସାହୁ, ରିତାଞ୍ଜଳୀ ମହାରଣାଙ୍କୁ ମନୋନୀତ କରାଯାଇଛି। ପବିତ୍ର ମୋହନ ସାମନ୍ତରାୟ, ରସାନନ୍ଦ ବେହୁରା କୋଷାଧକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନୀଳମଣି ବେହେରା, ପ୍ରକାଶ ଚନ୍ଦ୍ର ମିଶ୍ର, ବ୍ରଜ କିଶୋର ପ୍ରଧାନ, ନିରଞ୍ଜନ ରଥଙ୍କୁ ଅଡିଟର ଭାବେ ଚୟନ କରାଯାଇଛି।

ସେହିପରି ସୁଶୀଲ କୁମାର ରଣାଙ୍କୁ ମିଡ଼ିଆ କୋର୍ଡିନେଟର ଭାବେ ମନୋନୀତ କରାଯାଇଛି। ମହାସଂଘର ଉପଦେଷ୍ଟା ଭାବେ ଜ୍ୟୋତି ରଞ୍ଜନ ଦାଶ, ଅଶୋକ କୁମାର ଦାଶ, ଜଗନ୍ନାଥ ଦାଶ, ଯୁଧିଷ୍ଠିର ପ୍ରଧାନ, ବିଭୁତି ଭୂଷଣ ମିଶ୍ର, ସୁରେଶ ଚନ୍ଦ୍ର ଶତପଥୀ, ରମାକାନ୍ତ ସାହୁ, ପାର୍ବତୀ ସାହୁ, ବସନ୍ତ ପରିଡା, ପବିତ୍ର ପ୍ରଧାନ ପ୍ରମୁଖଙ୍କୁ ଚୟନ କରାଯାଇଛି।

ନୂତନ ଭାବେ ଗଠିତ ହୋଇଥିବା ଶିକ୍ଷକ ମହାସଂଘର ନିଷ୍ପତ୍ତି ଅନୁଯାୟୀ ଯେ କୌଣସି ବର୍ଗର ଶିକ୍ଷକଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ କାର୍ଯ୍ୟରେ ସମସ୍ତେ ସହଯୋଗ କରିବେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଏବେ ବି ମନେପଡେ ମଣିନାଗ ପୀଠରେ ସେହି ଲୋମ ହର୍ଷଣକାରୀ ରଜ ସଂକ୍ରାନ୍ତି

ରଣପୁର: ରଣପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ମଣିନାଗ ପୂଜା ପାଆନ୍ତି। ପାହାଡ ଶିଖରରେ ମଣିନାଗ ପୂଜା ପାଉଥିବାବେଳେ ପାହାଡ ପାଦ ଦେଶରେ ବି ମା’ ମଣିନାଗ ପୂଜା ପାଆନ୍ତି। ପ୍ରତିଦିନ ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ଟାଙ୍କୁଳା କଥା ମନେ ପଡିଲେ ଲୋମ ଟାଙ୍କୁଳି ଉଠେ। ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ରଣପୁରବାସୀଙ୍କୁ ମନେ ପକାଇ ଦିଏ ପୁଣି ଥରେ।

କିମ୍ବଦନ୍ତି ଅନୁଯାୟୀ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ଦାରୁବ୍ରହ୍ମ ରୁପରେ ଶ୍ରୀକ୍ଷେତ୍ର ପୁରୀ ଚାଲିଯାଇଥିଲେ। ନୀଳମାଧବ ଙ୍କ ସହ ଶବର ରାଜା ବିଶ୍ୱାବସୁ ମଧ୍ୟ ଶ୍ରୀକ୍ଷେତ୍ର ଚାଲିଯାଇଥିଲେ। ଜଗନ୍ନାଥ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱାବସୁଙ୍କ ସାନଭାଇ ବିଶ୍ୱବାସବ ନୀଳମାଧବଙ୍କ ଆସ୍ଥାନକୁ ରଣପୁର ପାହାଡରେ ରଖି ପୂଜା କରୁଥିଲେ। ସେହିଦିନ ଠାରୁ ମଣିନାଗ ରଣପୁରରେ ଅଗ୍ରଦେବୀ ଭାବେ ପୂଜା ପାଉଥିଲେ।

କିନ୍ତୁ ପରେ ରାଜା ରାଜୁଡା ଅମଳରେ ଦୁର୍ଗମ ପାହାଡ ଦେଇ ଭକ୍ତ ମାନେ ପାହାଡ ଶିଖରକୁ ଯାଇ ଦର୍ଶନ କରି ପାରୁ ନ ଥିଲେ। କିଛି ଭକ୍ତ ଦୁର୍ଗମ ପଥ ଦେଇ କଷ୍ଟସାଧ୍ୟ ପହାଡ ଶିଖରକୁ ଯାଇ ମା’ଙ୍କୁ ଦର୍ଶନ କରୁଥିଲେ। ପରେ ମଣିନାଗଙ୍କ ସ୍ୱପ୍ନାଦେଶ ଅନୁଯାୟୀ ପାହାଡ ପାଦଦେଶରେ ମଣିନାଗ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଯାହା ତଳମଣିନାଗ ପୀଠ ଭାବେ ପରିଚିତ।

ଏହି ପୀଠକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ହର୍ଷଣକାରୀ କଥା ଏବେବି ରଣପୁରବାସୀ ଭୁଲି ପାରି ନାହାନ୍ତି। ପ୍ରତି ବର୍ଷ ତଳମଣିନାଗ ପୀଠରେ ରଜ ଚାରିଦିନ ଧରି ଉତ୍ସବ ପାଳନ ହୁଏ।

ଏହି ରଜ ଉତ୍ସବରେ ପୁରୁଣାବସନ୍ତରୁ ନାରାୟଣୀ ଦେବୀ ଏକ ବିରାଟ ଶୋଭାଯାତ୍ରାରେ ମଣିନାଗ ପୀଠକୁ ଆସନ୍ତି। ଚାରିଦିନ ଧରି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲେ। କିନ୍ତୁ ୧୯୮୪ ମସିହା ରଜ ସଂକ୍ରନ୍ତି ଶନିବାର ରାତିରେ ଘଟିଲା ଏକ ଅଘଟଣ, ତଳମଣିନାଗ ପୀଠରେ ରାତିସାରା ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏକ ବଙ୍ଗାଳି ଲୋକର ପ୍ରରୋଚନାରେ ରଣପୁର ଅଚଂଳର ଜୈନିକ ବ୍ୟକ୍ତି ତିନୋଟି କମଳ ମତି ଶିଶୁ କୁ ଉପର ମଣିନାଗ ନିଆଯାଇ ଅତି ନିମ୍ମମ ଭାବେ ହତ୍ୟା କରାଯାଇଥିଲା। ଯାହାକୁ ଓଡିଶାରେ ରଣପୁର ନରବଳି ଭାବେ ଚର୍ଚ୍ଚା ଜୋରଧରିଥିଲା। ତିନୋଟି କୋମଳମତି ଶିଶୁ କୁ ମିଛ ପ୍ରଲୋଭନ ଦେଖାଇ ପାହାଡ ଶିଖରକୁ ନିଆଯାଇ ମଣିନାଗ ପୀଠରେ ବଳିପକାଯାଇଥିଲା।

ଏହି ଘଟଣା ଜଣାପଡିବାପରେ ରଣପୁର ଅଚଂଳ ସ୍ତବ୍ଧ ହୋଇଯାଇଥିଲା। ଶହ ଶହ ଲୋକ ଉପର ମଣିନାଗ ଯାଇ ରୁଣ୍ଡ ହୋଇଥିଲେ। ଉତ୍ୟକ୍ତ ଲୋକଙ୍କୁ ବୁଝାଇବାପାଇଁ ସେତେବେଳେ ପୁଲିସ ନାକେଦମ ହୋଇଥିଲା। ଏହି କଥା ଗଣ ମାଧ୍ୟମରେ ପ୍ରକାଶ ପାଇବାପରେ ଓଡିଶାରେ ହଇଚଇ ସୃଷ୍ଟି ହୋଇଥିଲା। ତତକାଳିନ ଜାନକୀ ପଟ୍ଟନାୟକ ସରକାର କୁ ବିରୋଧୀ ମାନେ କଡା ସମାଲୋଚନା କରିଥିଲେ।

ପରେ ସରକାର ଙ୍କ ହସ୍ତକ୍ଷପ ରେ କିଛି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିଲା। ସେଦିନର ଏହି ଘଟଣା ପରେ ତଳମଣିନାଗ ପୀଠରେ ସେବା ନୀତିରେ ହୋଇଥିଲା ବ୍ୟାପକ ପରିବର୍ତ୍ତନ। ସଂପୂର୍ଣ୍ଣ ଭାବେ ସେହିଦିନ ଠାରୁ ମା’ ଙ୍କ ପୀଠରେ ବଳିପ୍ରଥା ଓ ଆମିଷ ପୂଜନ ବନ୍ଦ ହୋଇଯାଇଥିଲା। ତିନୋଟି ପରିବାରର ତିନୋଟି କୋମଳମତି ଶିଶୁମାନଙ୍କୁ ହରାଇଥିଲେ। କିନ୍ତୁ ଦୀର୍ଘ ଦିନ ବିଚାରପରେ ଅପରାଧି କୁହାଯାଉଥିବା ଅଭିଯୁକ୍ତମାନେ ସାକ୍ଷୀ ଅଭାବରୁ ହାଇକୋର୍ଟରୁ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।

ପ୍ରତିବର୍ଷ ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ଲୋକମାନଙ୍କ ମନରେ ଏବେବି ଆନ୍ଦୋଳିତ କରିଥାଏ।