ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନଙ୍କର ଦୁର୍ଲଭ ହାତୀ ବେଶ ଅନୁଷ୍ଠିତ ହେବ। ଏ ନେଇ ଆଜି ଦଇତାପତି ସେବକମାନେ ସେନାପଟା ଓ ବାହୁଟ କଣ୍ଟ ଲାଗି ନୀତି ସମ୍ପାଦନ କରିଛନ୍ତି। ଶ୍ରୀମନ୍ଦିରରେ ସକାଳୁ ଏ ନେଇ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଗୁପ୍ତ ନୀତି କାର୍ଯ୍ୟ ଶେଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହେବ।
ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପହଣ୍ଡି ଦର୍ଶନ ପାଇଁ ପରିମାଣିକ ଟିକେଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ । ସେହିପରି ସ୍ନାନ ବେଦୀ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ମହାପ୍ରଭୁଙ୍କ କୃପାରୁ ଚଳିତବର୍ଷର ସ୍ନାନଯାତ୍ରା ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି । ଦୂରଦର୍ଶନ ପକ୍ଷରୁ ଆସନ୍ତାକାଲି ସକାଳ ୫ଟାରୁ ସ୍ନାନ ଯାତ୍ରାର ସିଧାପ୍ରସାରଣ କରାଯିବ ।


