ଭୁବନେଶ୍ବର: ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ତଥା ପ୍ରଖ୍ୟାତ ଓଡିଶୀ ଗୁରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଜୟନ୍ତୀ ଆସନ୍ତା ଜୁଲାଇ ୧୦ ରେ ଭୁବନେଶ୍ୱରରେ ପାଳନ କରାଯିବ। ଏ ନେଇ ଗୁରୁ ଗଙ୍ଗାଧର ଫାଉଣ୍ଡେସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ଉତ୍ସବ ଭୁବନେଶ୍ବରର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ। ଏହାକୁ ଗୁରୁ ଗଙ୍ଗାଧର ଫାଉଣ୍ଡେସନ ଏବଂ କୋଣାର୍କ ନାଟ୍ୟ ମଣ୍ଡପ ସଂସ୍ଥା ମିଳତ ଭାବେ ଆୟୋଜନ କରୁଛନ୍ତି।
ଏହି ଉତ୍ସବରେ ଗୁରୁ ଡକ୍ଟର ପ୍ରଧାନଙ୍କ ଓଡିଶାରେ ବର୍ଷସାରା ସାଂସ୍କୃତିକ ଉତ୍ସବରେ ପରିଣତ କରିବାର ସ୍ବପ୍ନ ପ୍ରତିଫଳିତ ହୋଇଛି। ସେ ବାରମ୍ବାର କହୁଥିଲେ ଯେ, “୩୬୫ ଦିନ ଏବଂ ୩୬୫ ଉତ୍ସବ” – ରାଜ୍ୟର ସାଂସ୍କୃତିକ ଆନ୍ଦୋଳନ ଏବଂ ଏହାର ସମୃଦ୍ଧ କଳା ପରମ୍ପରାର ସଂରକ୍ଷଣ ପାଇଁ ପ୍ରେରଣା ଯୋଗାଇଆସୁଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସି ଆର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ସେହିପରି ପୂର୍ବତନ ଦୂରଦର୍ଶନ ନିର୍ଦ୍ଦେଶକ ଏବଂ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଦୀପ୍ତି ମିଶ୍ର ଏବଂ ପୂର୍ବତନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଚିତ୍ତରଞ୍ଜନ ମଲ୍ଲିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେବେ। ଓଡ଼ିଶା ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ସୌମ୍ୟରଞ୍ଜନ ଜୋଶୀଙ୍କ ବଂଶୀ ବାଦନ, ଗୁରୁ ଡକ୍ଟର ମନୋରଞ୍ଜନ ପ୍ରଧାନ ଏବଂ ମିନତି ପ୍ରଧାନଙ୍କ ଦ୍ୱାରା ଓଡ଼ିଶୀ ଯୁଗଳବନ୍ଦୀ ଏବଂ କୋରାପୁଟ ଜୟପୁରର କଳାକେନ୍ଦ୍ରଙ୍କ ଦ୍ୱାରା ଏକ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମକୁ ହୃଷୀକେଶ ପାଣିଗ୍ରାହୀ ଏବଂ ସୁଦୀପ୍ତ ପାଣିଗ୍ରାହୀ ସଂଯୋଜନା କରିବେ।


