ଭୁବନେଶ୍ୱର: ରଥଯାତ୍ରା ସମୟରେ କର୍ଡନ ପାସ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରଚଳିତ ନିୟମାବଳୀ ଅନୁଯାୟୀ ଅନୁମୋଦିତ ସଂଖ୍ୟାଠାରୁ ଗୋଟିଏ ବି ଅତିରିକ୍ତ କର୍ଡନ ପାସ ଜାରି କରାଯିବ ନାହିଁ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, କେବଳ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସହ ସିଧାସଳଖ ସମ୍ପୃକ୍ତ ସେବାୟତ ଏବଂ ଦାୟିତ୍ୱପ୍ରାପ୍ତ ଅଧିକାରୀମାନଙ୍କୁ ହିଁ କର୍ଡନ ପାସ ପ୍ରଦାନ କରାଯିବ। ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କର୍ଡନ ଅଞ୍ଚଳରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ।
ନିର୍ଦ୍ଦେଶ ଅନୁସାରେ, କୌଣସି ବ୍ୟକ୍ତି ଅନଧିକୃତ ଭାବେ କର୍ଡନ ଅଞ୍ଚଳରେ ପ୍ରବେଶ କଲେ ସୁରକ୍ଷାକର୍ମୀମାନେ ତାଙ୍କୁ ତୁରନ୍ତ ବାହାରକୁ ନେବେ। ତେବେ ଏହି ପ୍ରକ୍ରିୟାରେ କାହାକୁ ଅପମାନିତ ନ କରି ଶାଳୀନତା ଓ ସମ୍ମାନର ସହ ବ୍ୟବହାର କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏଥିସହ କର୍ଡନ ଦାୟିତ୍ୱରେ ନିୟୋଜିତ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମହିଳା ଶ୍ରଦ୍ଧାଳୁଙ୍କ ସହ ମର୍ଯ୍ୟାଦାପୂର୍ଣ୍ଣ ଓ ସମ୍ବେଦନଶୀଳ ବ୍ୟବହାର କରିବାକୁ କୁହାଯାଇଛି।
କୌଣସି ସୁରକ୍ଷାକର୍ମୀ କିମ୍ବା କର୍ମଚାରୀ ଯଦି ମହିଳା ଶ୍ରଦ୍ଧାଳୁଙ୍କ ପ୍ରତି ଅସଦାଚରଣ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା ଓ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଶୃଙ୍ଖଳିତ ଏବଂ ଶ୍ରଦ୍ଧାଳୁ-ବନ୍ଧବ କରିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।


