ରଣପୁର: ରଣପୁର ପ୍ରେସ କ୍ଲବର ନୂତନ ଗୃହର ଶୁଭ ପ୍ରତିଷ୍ଠା ଓ ଉଦ୍ଘାଟନ ଉତ୍ସବମୁଖର ପରିବେଶରେ ସମ୍ପନ୍ନ ହୋଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଗୃହର ଶୁଭ ଉଦ୍ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ସମାଜ ପ୍ରତି ଥିବା ଦାୟିତ୍ୱ ଓ ନିଷ୍ଠାର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଶିଷ୍ଟ ବ୍ୟକ୍ତି ବିପିନ ପାଢ଼ୀ, ଓଡ଼ିଶା ସାମ୍ବାଦିକ ୟୁନିଅନର ସମ୍ପାଦକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ପ୍ରେସ କ୍ଲବ ସଭାପତି ସୁକାନ୍ତ କୁମାର ପଟ୍ଟନାୟକ ଓ ସମ୍ପାଦକ ବ୍ରଜ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ସମାଜସେବୀ ସ୍ୱରାଜ ମହାନ୍ତି, ଦିନେଶ ପରିଡାଙ୍କ ସମେତ ରଣପୁର ଏନ୍ଏସିର ସମସ୍ତ କାଉନସିଲର ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପ୍ରେସ କ୍ଲବକୁ ଶୁଭେଚ୍ଛା ଜଣାଇଥିଲେ।
ସାମ୍ବାଦିକ ରଘୁନାଥ ନାୟକ, କୃଷ୍ଣଚନ୍ଦ୍ର ଦାଶ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ନୂତନ ପ୍ରେସ କ୍ଲବ ଗୃହ ରଣପୁରର ସାମ୍ବାଦିକମାନଙ୍କ ପାଇଁ ଏକ ସଶକ୍ତ କାର୍ଯ୍ୟକେନ୍ଦ୍ର ହେବା ସହ ସାମ୍ବାଦିକତାର ବିକାଶରେ ନୂଆ ଦିଗ ଉନ୍ମୋଚନ କରିବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ।


