ନୟାଗଡ଼: ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍ ଯୋଗୁଁ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ନେଇ ନୟାଗଡ଼ ଜିଲ୍ଲା ଭାପୁରରେ ଉତ୍ତେଜନା ପ୍ରକାଶ ପାଇଛି। ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ଓ ସ୍ଥାନୀୟ ଲୋକେ ମେଡିକାଲ ପରିସରରେ ହୋହଲ୍ଲା କରିବା ସହ ରାସ୍ତାରୋକ କରିଥିଲେ।
ସୂଚନା ଅନୁସାରେ, ଭାପୁର ବ୍ଲକ ଗୋଳାପୋଖରୀ ଗାଁର ଗୋପାଳ ଚନ୍ଦ୍ର ବେହେରାଙ୍କ କଲେଜ ପଢୁଆ ଝିଅ ସନ୍ତୋଷୀ ବେହେରା ଜ୍ୱରରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ଇଞ୍ଜେକସନ୍ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି।
ଘଟଣା ପରେ ମେଡିକାଲ ପରିସରରେ ପ୍ରାୟ ୧୨ ଘଣ୍ଟା ଧରି ମୃତଦେହ ରହିଥିଲା। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ମୃତଦେହ ଉଠାଇବାକୁ ମନା କରିଥିଲେ। ଏପଟେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
ପରେ ପରିବାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ପଠାଇବାକୁ ରାଜି ହୋଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।


