ରାଞ୍ଚି: ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ସରକାର ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ରାତିରେ ସରକାର ୪୪ଟି ନିଯୁକ୍ତି ପରୀକ୍ଷାକୁ ବାତିଲ କରିବା ନେଇ ତାଲିକା ପ୍ରକାଶ କରିଛନ୍ତି। ଆଠଟି ପୃଥକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଜାରି ହୋଇଛି। ୨୦୧୪ରୁ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ଏବଂ ଆଉଟସୋର୍ସିଂ ଏଜେନ୍ସି TSR Data Processing Private Limited (TDPL) ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷା ଏହି ତାଲିକାରେ ରହିଛି।
ବାତିଲ ହୋଇଥିବା ପରୀକ୍ଷା ମଧ୍ୟରେ ଡ୍ରଗ୍ସ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ପ୍ରଫେସର, ଡେପୁଟି କଲେକ୍ଟର, ଡେଣ୍ଟିଷ୍ଟ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ସିଭିଲ୍ ଜଜ୍, ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଏବଂ ଫରେଷ୍ଟ ରେଞ୍ଜ ଅଫିସର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର ନିଯୁକ୍ତି ପରୀକ୍ଷା ରହିଛି। ଏହାଛଡ଼ା ସରକାରୀ ପଲିଟେକ୍ନିକ୍ର ଅଧ୍ୟାପକ, ବରିଷ୍ଠ ବୈଜ୍ଞାନିକ ଅଧିକାରୀ, ସହକାରୀ ବନ ସଂରକ୍ଷକ ସମେତ ଅନେକ ପ୍ରଶାସନିକ ଓ ବୈଷୟିକ ପଦବୀର ପରୀକ୍ଷା ମଧ୍ୟ ରଦ୍ଦ ହୋଇଛି।
ଛାତ୍ରମାନଙ୍କ ଦୀର୍ଘଦିନର ଆନ୍ଦୋଳନ ପରେ ଝାଡ଼ଖଣ୍ଡ ସରକାର ସୋମବାର କ୍ୟାବିନେଟ୍ ବୈଠକରେ JSSC-ସମ୍ମିଳିତ ସ୍ନାତକ ସ୍ତର (CGL) ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହ TDPL ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ଏବଂ ପ୍ରକାଶିତ ଫଳାଫଳକୁ ମଧ୍ୟ ବାତିଲ କରାଯାଇଛି।
JPSC ଓ JSSCରେ ଅନିୟମିତତା ସମ୍ପର୍କିତ ମାମଲାର ଶୀଘ୍ର ଶୁଣାଣି ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ JPSC ଓ JSSC ମଧ୍ୟରେ ଏକ ଆଭ୍ୟନ୍ତରୀଣ ସତର୍କତା ସେଲ୍ ଗଠନ କରାଯିବ।
JPSC ଏବଂ JSSCରେ ଆବଶ୍ୟକ ସଂସ୍କାର ପାଇଁ ବରିଷ୍ଠ IAS ଅଧିକାରୀ ଅମିତାଭ କୌଶଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କମିଟି ଦୁଇ ମାସ ମଧ୍ୟରେ ନିଜ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ।
୪୪ଟି ପରୀକ୍ଷା ବାତିଲ ଓ JSSC-CGL ରଦ୍ଦ ପରେ ଏବେ ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାର ସ୍ୱଚ୍ଛତା, ପରୀକ୍ଷା ପରିଚାଳନା ଏବଂ ନୂଆ ନିଯୁକ୍ତି ପ୍ରକ୍ରିୟା ନେଇ ସରକାରଙ୍କ ଉପରେ ଦାୟିତ୍ୱ ଆହୁରି ବଢ଼ିଛି।


