ନୂଆଦିଲ୍ଲୀ: ଭାରତୀୟ ରେଳ ୨୧ ଅଗଷ୍ଟ, ୨୦୨୬ରେ ମାଲ ପରିବହନ କ୍ଷେତ୍ରରେ ଏକ ନୂତନ ପରିଚାଳନାଗତ ମାଇଲଖୁଣ୍ଟ ସ୍ଥାପନ କରିଛି। ପଶ୍ଚିମ ଡେଡିକେଟେଡ୍ ଫ୍ରେଟ୍ କରିଡର (Western DFC)ରେ ପ୍ରଥମ ଡବଲ୍-ଷ୍ଟାକ୍ ଲଙ୍ଗ୍-ହଲ୍ କଣ୍ଟେନର ଟ୍ରେନ୍ ସଫଳତାର ସହ ପରିଚାଳନ କରାଯାଇଛି।
ଏହି ଟ୍ରେନ୍ଟି ମୁମ୍ବାଇର ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ (JNPT)ରୁ ଭଦୋଦରା ଡିଭିଜନ ଅନ୍ତର୍ଗତ ଭର୍ଣ୍ଣାମାସ୍ଥିତ CONCORର GCT ଟର୍ମିନାଲ ପର୍ଯ୍ୟନ୍ତ ପ୍ରାୟ ୪୨୨ କିଲୋମିଟର ଦୂରତାରେ ୩୬୦ TEUs କଣ୍ଟେନର ପରିବହନ କରିଛି। ଟ୍ରେନ୍ଟି ୨୧ ଅଗଷ୍ଟ, ୨୦୨୬ ସନ୍ଧ୍ୟା ୭ ଘଟିକାରେ ଜେଏନ୍ପିଟିରୁ ଯାତ୍ରା ଆରମ୍ଭ କରିଥିଲା।
ଏହି ଲଙ୍ଗ୍-ହଲ୍ ଟ୍ରେନ୍ ଦୁଇଟି ଡବଲ୍-ଷ୍ଟାକ୍ ରେକ୍କୁ ମିଶାଇ ଗଠନ କରାଯାଇଥିଲା। ପ୍ରତ୍ୟେକ ରେକ୍ରେ ୪୫+୧ କଣ୍ଟେନର ରହିଥିବାବେଳେ ସମୁଦାୟ ଟନେଜ୍ ଥିଲା ୩,୯୨୨ ଟନ୍। ଅଗ୍ରଣୀ ରେକ୍ର ଟନେଜ୍ ୧,୮୧୭ ଟନ୍ ଏବଂ ପଛ ରେକ୍ର ଟନେଜ୍ ୨,୧୦୫ ଟନ୍ ଥିଲା।
ଏହି ସଫଳ ପରିଚାଳନା ଗୋଟିଏ ଟ୍ରେନ୍ରେ ବିପୁଳ ପରିମାଣର କଣ୍ଟେନରାଇଜ୍ଡ ମାଲ ପରିବହନ କରିବାର ଭାରତୀୟ ରେଳର ବର୍ଦ୍ଧିତ କ୍ଷମତାକୁ ପ୍ରଦର୍ଶିତ କରୁଛି। ଲଙ୍ଗ୍-ହଲ୍ ଡବଲ୍-ଷ୍ଟାକ୍ କଣ୍ଟେନର ଟ୍ରେନ୍ ପରିଚାଳନ ଦ୍ୱାରା ବନ୍ଦର ଓ ଟର୍ମିନାଲରେ କଣ୍ଟେନର ରହିବା ସମୟ ହ୍ରାସ ପାଇବା ସହ ଭିଡ଼ କମିବ ଏବଂ କଣ୍ଟେନରର ଶୀଘ୍ର ନିଷ୍କାସନ ସମ୍ଭବ ହେବ।
ଏହାସହ ଗୋଟିଏ ଯାତ୍ରାରେ ଅଧିକ ସଂଖ୍ୟକ କଣ୍ଟେନର ପରିବହନ ହେବାରୁ ସମାନ ପରିମାଣର ମାଲ ପରିବହନ ପାଇଁ କମ୍ ସଂଖ୍ୟକ ଟ୍ରେନ୍ ଚଳାଚଳର ଆବଶ୍ୟକତା ହେବ। ଫଳସ୍ୱରୂପ ଲୋକୋମୋଟିଭ୍ ଓ କଣ୍ଟେନର ଫ୍ଲାଟ୍ ୱାଗନ୍ର ଆବଶ୍ୟକତା କମିବା ସହ ଉପଲବ୍ଧ ରୁଟ୍ କ୍ଷମତାର ଅଧିକ ଦକ୍ଷତାର ସହ ଉପଯୋଗ ସମ୍ଭବ ହେବ। ଏହା ମାଲ ପରିବହନର ଯାତ୍ରା ସମୟ ଓ ସାମଗ୍ରିକ ପରିବହନ ଖର୍ଚ୍ଚ ହ୍ରାସ କରିବାରେ ମଧ୍ୟ ସହାୟକ ହେବ।
ଏହି ପରିଚାଳନା ସବୁଜ ଓ ସ୍ଥାୟୀ ମାଲ ପରିବହନ ପ୍ରତି ଭାରତୀୟ ରେଳର ପ୍ରତିବଦ୍ଧତାକୁ ମଧ୍ୟ ସୁଦୃଢ଼ କରିଛି। ବିଦ୍ୟୁତ୍ ଚାଳିତ ଏହି ଟ୍ରେନ୍ ସଡ଼କ ଭିତ୍ତିକ ଡିଜେଲ୍ ପରିବହନ ଉପରେ ନିର୍ଭରଶୀଳତା ହ୍ରାସ କରିଥାଏ। ଗୋଟିଏ ଲଙ୍ଗ୍-ହଲ୍ ଡବଲ୍-ଷ୍ଟାକ୍ କଣ୍ଟେନର ଟ୍ରେନ୍ ବହୁ ସଂଖ୍ୟକ ଟ୍ରକ୍ର ସମାନ ପରିମାଣର ମାଲ ପରିବହନ କରିପାରୁଥିବାରୁ ଡିଜେଲ୍ ବ୍ୟବହାର, ସଡ଼କ ଭିଡ଼, ଯାନବାହନ ଜନିତ ନିର୍ଗମନ ଏବଂ ମାଲ ପରିବହନର ସାମଗ୍ରିକ କାର୍ବନ୍ ପଦଚିହ୍ନ ହ୍ରାସ ପାଇବ।
ଏହି ଐତିହାସିକ ସଫଳତା ଭାରତୀୟ ରେଳର ମାଲ ପରିବହନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ସହ ଦେଶରେ ଦ୍ରୁତ, ଦକ୍ଷ, ପରିବେଶ ଅନୁକୂଳ ଓ ସୁଲଭ ମାଲ ପରିବହନ ବ୍ୟବସ୍ଥାକୁ ଏକ ନୂତନ ଦିଗ ପ୍ରଦାନ କରିବ।


