କୋନାକ୍ରି: ଗିନିର ରାଜଧାନୀ କୋନାକ୍ରିରେ ପ୍ରବଳ ବର୍ଷା ପରେ ଭୟାବହ ଅଘଟଣ ଘଟିଛି। ଏକ ବଡ଼ ଲ୍ୟାଣ୍ଡଫିଲ୍ର ଅଳିଆ ପାହାଡ଼ ଧସି ନିକଟସ୍ଥ ବସ୍ତି ଉପରେ ପଡ଼ିବାରୁ ଅତି କମ୍ରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି।
ରବିବାର ଭୋର ପ୍ରାୟ ୩ଟାରୁ ଲଗାଣ ବର୍ଷା ଯୋଗୁଁ ଅଳିଆ ଗଦା ଧସିବା ଆରମ୍ଭ ହୋଇଥିଲା। ପରେ ଏହା ନିକଟସ୍ଥ କୁଡ଼ିଆ ଓ ବସ୍ତି ଉପରେ ଖସିପଡ଼ିଥିଲା। ଅନେକ ଲୋକ ଅଳିଆ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି।
ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମାଟି ଓ ଅଳିଆ ତଳେ ଫସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଅନେକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି।
ଘଟଣା ପୂର୍ବରୁ ଅଞ୍ଚଳ ଖାଲି କରିବା ପାଇଁ ବାସିନ୍ଦାଙ୍କୁ ନୋଟିସ୍ ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ଅଳିଆ ପରିଚାଳନା ଏବଂ ଡମ୍ପିଂ ସାଇଟ୍ ନିକଟରେ ରହୁଥିବା ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ବର୍ତ୍ତମାନ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପ୍ରଶାସନର ପ୍ରାଥମିକତା ରହିଛି।


