ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟା ଅଭିଯୋଗ। ଜଣେ ପୁଅ ନିଜ ମା’ଙ୍କୁ ହତ୍ୟା କରି ଘର ଭିତରେ ଶବ ପୋତିବା ପରେ ତା’ ଉପରେ ସିମେଣ୍ଟରେ ପ୍ଲାଷ୍ଟର କରି ଫେରାର ହୋଇଥିବା ସନ୍ଦେହ କରାଯାଉଛି। ଘଟଣାଟି ପ୍ରାୟ ୩ରୁ ୪ ଦିନ ପୂର୍ବରୁ ଘଟିଥିବା ପୁଲିସ ଅନୁମାନ କରୁଛି।
ସୂଚନା ଅନୁଯାୟୀ, କୁମ୍ଭାରପଡ଼ା ଥାନା ଅଞ୍ଚଳର ଏକ ଭଡ଼ାଘରେ ମା’ ଓ ପୁଅ ରହୁଥିଲେ। ଗତ ୪-୫ ଦିନ ହେଲା ଉଭୟଙ୍କୁ ଦେଖିବାକୁ ମିଳିନଥିଲା। ଏହାରି ମଧ୍ୟରେ ଘରୁ ଦୁଇ ଦିନ ଧରି ପଚା ଦୁର୍ଗନ୍ଧ ବାହାରିବାରୁ ଘର ମାଲିକ ଭଗବାନ ସାହୁଙ୍କ ସନ୍ଦେହ ହୋଇଥିଲା।
ଘର ମାଲିକଙ୍କ କହିବା ଅନୁସାରେ, କିଛି ଦିନ ପୂର୍ବେ ମା’ ଓ ପୁଅଙ୍କୁ ଦେଖିଥିଲେ। ପରେ ଉଭୟଙ୍କର କୌଣସି ଖୋଜଖବର ମିଳିନଥିଲା। ଆଜି ରନ୍ଧାଘର ସ୍ଲାବ୍ ତଳେ ଥିବା ପ୍ଲାଷ୍ଟର ଭିତରୁ ପଚା ପାଣି ଭଳି ପଦାର୍ଥ ବାହାରୁଥିବା ଦେଖି ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ଏନେଇ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ଲାଷ୍ଟର ଖୋଳି ଯାଞ୍ଚ କରୁଛି। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ କହିଛି।
ଅନ୍ୟପକ୍ଷରେ, ଘଟଣା ପରଠାରୁ ପୁଅ ଫେରାର ଥିବା ସନ୍ଦେହ କରାଯାଉଛି। ହତ୍ୟାର କାରଣ କ’ଣ, କେବେ ଏବଂ କିପରି ମା’ଙ୍କ ମୃତ୍ୟୁ ହେଲା, ଶବକୁ କାହିଁକି ଘର ଭିତରେ ପୋତି ସିମେଣ୍ଟରେ ଲୁଚାଇବାକୁ ଉଦ୍ୟମ କରାଗଲା—ଏସବୁ ଦିଗରୁ ପୁଲିସ ତଦନ୍ତ ଆରମ୍ଭ କରିଛି।


