ନୂଆଦିଲ୍ଲୀ: ରକ୍ଷାବନ୍ଧନ ଏବଂ ଜନ୍ମାଷ୍ଟମୀ ଭଳି ପର୍ବ ପୂର୍ବରୁ ଉତ୍ତର ପ୍ରଦେଶରେ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ ଭେଜାଲକାରୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯୋଗୀ ସରକାର ପର୍ବ ପୂର୍ବରୁ ଏହି ଧଳା ବିଷର ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ହାପୁରରେ ଖାଦ୍ୟ ବିଭାଗର ଏକ ଦଳ ଏକ ଅଣଲାଇସେନ୍ସପ୍ରାପ୍ତ କାରଖାନାରେ ଚଢାଉ କରି ୯୫୫ କିଲୋଗ୍ରାମ ଭେଜାଲ କ୍ରିମ୍ ଏବଂ ୫୫ କିଲୋଗ୍ରାମ ରିଫାଇନ୍ ତେଲ ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧,୪୩,୨୫୦ ଟଙ୍କା।
ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଦହି, ରିଫାଇନ୍ ପାମ୍ ତେଲ, ବନସ୍ପତି ଏବଂ ଅଳ୍ପ ପରିମାଣର ଅସଲି କ୍ରିମ ମିଶ୍ରଣ କରି ନକଲି କ୍ରିମ ପ୍ରସ୍ତୁତ କରାଯାଉଥିଲା। ପର୍ବପର୍ବାଣୀ ସମୟରେ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଏହି କ୍ରିମକୁ ପନିର ଏବଂ ଦେଶୀ ଘିଅ ପ୍ରସ୍ତୁତିରେ ବ୍ୟବହାର କରାଯିବାର ଥିଲା। ସୂଚନା ମୁତବକ ଏହି ପ୍ରସ୍ତୁତ ଉତ୍ପାଦ ଦିଲ୍ଲୀ-ଏନସିଆର, ମିରଟ, ଅମରୋହା ଏବଂ ବୁଲନ୍ଦସହର ସମେତ ଆଖପାଖ ବଜାରରେ ବିକ୍ରି ହେଉଥିଲା।
ଖାଦ୍ୟ ବିଭାଗ ଦଳ ଜେସିବି ସାହାଯ୍ୟରେ ଏକ ଗାତ ଖୋଳି ଉଦ୍ଧାର କରାଯାଇଥିବା ୯୫୫ କିଲୋଗ୍ରାମ ଭେଜାଲ କ୍ରିମକୁ ଘଟଣାସ୍ଥଳରେ ନଷ୍ଟ କରିଛନ୍ତି। ଲାଇସେନ୍ସ ନଥିବା ପ୍ରତିଷ୍ଠାନକୁ ମଧ୍ୟ ସିଲ୍ କରାଯାଇଛି। ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି।


