ଭୁବନେଶ୍ବର: ସନ୍ତାନ ଲୋଭ ଏକ ନିଃସନ୍ତାନ ଦମ୍ପତିଙ୍କୁ ମୃତ୍ୟୁର ଫାସ ପର୍ଯ୍ୟନ୍ତ ଟାଣିନେଇଛି। ଏକ ଲମ୍ପଟ ଗୁଣିଆ/ତାନ୍ତ୍ରିକର ପ୍ରରୋଚନାରେ ପଡ଼ି ଉଭୟ ଆଖିବୁଜିଛନ୍ତି। ରିପୋର୍ଟ ଅନୁସାରେ କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏପ୍ରକାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ନିଃସନ୍ତାନ ଦମ୍ପତି ସନ୍ତାନ ପାଇବା ଆଶାରେ ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆ/ତାନ୍ତ୍ରିକ ଠାରୁ ଔଷଧ ଆଣି ଖାଇଥିଲେ। ପରେ ଦୁହେଁ ଗୁରୁତର ହୋଇପଡିଥିଲେ।
ସୋମବାର ବିଳମ୍ବିତ ରାତିରେ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍କେସିଜି ମେଡିକାଲ ପଠାଯାଇଥିଲା। ତେବେ ମଙ୍ଗଳବାର ଦିନ ସ୍ୱାମୀଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ କାହ୍ନୁ କହଁର (୩୫) ଓ ତାଙ୍କ ସ୍ତ୍ରୀ ଲଳିତା କହଁର। ବିବାହର ପ୍ରାୟ ୧୫ ବର୍ଷ ପରେ ବି ସନ୍ତାନ ସନ୍ତତି ହୋଇ ନ ଥିଲା। ଫଳରେ ଉଭୟେ ଦାରିଙ୍ଗବାଡ଼ି ଅଞ୍ଚଳର ଏକ ଗୁଣିଆ ପାଖକୁ ଯାଇଥିଲେ।
ତେବେ ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଭିଯୁକ୍ତ ତାନ୍ତ୍ରିକ ଫେରାର ହୋଇଯାଇଛି। ମୃତ କାହ୍ନୁଙ୍କ ଭଉଣୀ ରଞ୍ଜିତା କହଁର ଏବଂ ଭାଣିଜୀ ସକୁନ୍ତଳା କହଁର କହିଛନ୍ତି, ଚେରମୂଳି ଔଷଧ ଦେବା ବାବଦରେ ସମ୍ପୃକ୍ତ ଗୁଣିଆଜଣକ କାହ୍ନୁଙ୍କ ଠାରୁ ପ୍ରାୟ ଦୁଇ ଭରି ସୁନା ଓ ଏକ ଲକ୍ଷ ଟଙ୍କା ନେଇଛି।


