ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍.ଜି. ଛକର ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଦ୍ୱାଦଶ ଦିନରେ ପହଞ୍ଚିଛି। ଶହ ଶହ ଶିକ୍ଷକ, ଅଧ୍ୟାପକ, ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ଖୋଲା ଆକାଶ ତଳେ ତୁହାକୁ ତୁହା ଲଘୁଚାପ ଜନିତ ବର୍ଷା ଓ ଥଣ୍ଡା କୋହଲା ପାଗରେ ଥରି ଥରି ଦିନରାତି ବିତାଉଛନ୍ତି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ କହିଛନ୍ତି ସରକାର ତୁରନ୍ତ ଶିକ୍ଷକ କର୍ମଚାରୀମାନଙ୍କ ସମସ୍ୟା ସମାଧାନ କରନ୍ତୁ। ନଚେତ୍ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଦୃଢ଼ ଜବାବ ଦିଆଯିବା ସହିତ ସବୁ କ୍ଷେତ୍ରରେ ସରକାରଙ୍କୁ ଅସହଯୋଗ କରାଯିବ। ସରକାର ଆଉ କାଳବିଳମ୍ବ ନକରି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟା ସମାଧାନ ଦିଗରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।
ସୂଚନାଥାଉକି, ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ସେମାନଙ୍କ ନ୍ୟାୟୋଚିତ ଦାବୀ ହାସଲ ପାଇଁ ଦୀର୍ଘ ୧୨ ଦିନଧରି ଅହୋରାତ୍ର ଗଣଧାରଣାରେ ବସି ରହିଛନ୍ତି। ସେମାନଙ୍କ ଦାବୀ ଆଇନ ସମ୍ମତ ଓ ଯୁକ୍ତିଯୁକ୍ତ ହୋଇଥିଲେ ମଧ୍ୟ ଏହାକୁ ହେୟ ମନେକରି ସରକାର ସମସ୍ୟା ସମାଧାନ ଦିଗରେ ଠୋସ୍ ପଦକ୍ଷେପ ନେଉ ନାହାଁନ୍ତି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ଦୀର୍ଘ ତିରିଶ ବର୍ଷ ହେଲା ବିନା ପାରିଶ୍ରମିକରେ କାର୍ଯ୍ୟ କରିଆସୁଥିବା ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡିକୁ ଅନୁଦାନ ପରିସରଭୁକ୍ତ ନ କରି ସରକାର ସେମାନଙ୍କୁ ମାନସିକ ଯନ୍ତ୍ରଣା ଦେଇ ଚାଲିଛନ୍ତି । ତେଣୁ ସରକାର ତୁରନ୍ତ ସମ୍ବେଦନଶୀଳ ହୋଇ ଅନୁଦାନ ଯୋଗ୍ୟ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରନ୍ତୁ।
ସେହିପରି ପେନସନ୍ ପ୍ରଦାନ ସମ୍ପର୍କରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ୧୯୮୧ ପେନସନ୍ ରୁଲ୍କୁ ଲାଗୁ କରନ୍ତୁ। ଏହା ଫଳରେ ଅବସର ନେଇଥିବା ଓ ନେବାକୁ ଯାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଉପକୃତ ହୋଇ ପାରିବେ। ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟକୁ ସରକାରୀକରଣ ଏବଂ ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ନୂତନ ପେନ୍ସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା, ଗ୍ରେଡ଼ ପେରେ ଥିବା ଅସଙ୍ଗତି ଦୂର କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍ନାଲ ଇନ୍କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ଚାକିରି ସତ୍ତାବଳୀ ସହିତ ପେନ୍ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି । ଯେଉଁ ରାଜ୍ୟରେ ସରକାର ଲୋକଙ୍କର ସରକାର ଏବଂ ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଡିଣ୍ଡିମ ପିଟୁଛନ୍ତି ସେହି ରାଜ୍ୟର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ଶ୍ରେଣୀଗୃହ ଛାଡ଼ି ରାଜରାସ୍ତାରେ ପଡ଼ି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।
ସୂଚନାଥାଉକି, ଶିକ୍ଷକ ଶିକ୍ଷୟତ୍ରୀମାନେ ରାଜରାସ୍ତାରେ ରକ୍ଷାବନ୍ଧନ ଉତ୍ସବ ପାଳନ ପୂର୍ବକ ରାଜନେତା ଓ ଶିକ୍ଷକଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ସରକାରଙ୍କର ଏଭଳି ଶିକ୍ଷା ଏବଂ ଶିକ୍ଷକ ବିରୋଧୀ ନୀତିକୁ ବିରୋଧ କରି ଅନେକ ବୁଦ୍ଧିଜୀବୀ, ଶିକ୍ଷାପ୍ରେମୀ ଜନଗଣ, ପରିଚାଳନା କମିଟିର ସଦସ୍ୟ, ବିଭିନ୍ନ ଗଣସଂଗଠନ ଓ ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଆନ୍ଦୋଳନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ କରୁଛନ୍ତି। ସରକାର ତୁରନ୍ତ ଶିକ୍ଷକ କର୍ମଚାରୀମାନଙ୍କର ନ୍ୟାଯ୍ୟ ଦାବୀକୁ ମାନି ନିଅନ୍ତୁ ଓ ଘୋଷଣା କରିଥିବା ନିଷ୍ପତ୍ତିର ପୁନର୍ବିଚାର କରି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ପେନ୍ସନ୍ ଏବଂ ଅନୁଦାନ ପ୍ରଦାନ କରନ୍ତୁ। ସରକାର ତାଙ୍କର ଆଭିମୁଖ୍ୟ ନ ବଦଳାଇଲେ ଆଗାମୀ ଦିନରେ ଶିକ୍ଷକ ଆନ୍ଦୋଳନ ଗଣଆନ୍ଦୋଳରେ ପରିଣତ ହୋଇ ଚରମ ସ୍ଥିତିକୁ ଯିବ।
ଫଳରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଶଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।


