ଭୁବନେଶ୍ବର : ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଛି। ବୈଠକରେ ନାଲକୋ ଓ ଆଦାନୀ ଗ୍ରୁପ୍ର ବିଭିନ୍ନ ଚାଲୁ ଏବଂ ପ୍ରସ୍ତାବିତ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ନାଲକୋର ସ୍ମେଲ୍ଟର ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣ, ଉତ୍କଳ ‘ଡି’ ଓ ‘ଇ’ କୋଇଲା ଖଣି ସମେତ ପ୍ରମୁଖ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା। ଜମି ଅଧିଗ୍ରହଣ, ପୁନର୍ବାସ, ଜନଶୁଣାଣି, ଗ୍ରାମସଭା ଓ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ସମ୍ପର୍କିତ ପ୍ରସଙ୍ଗର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି ଆଦାନୀ ଗ୍ରୁପ୍ର ବନ୍ଦର, ଶିଳ୍ପ ପାର୍କ, ଶକ୍ତି, ଆଲୁମିନିୟମ, ସିମେଣ୍ଟ, ଡାଟା ସେଣ୍ଟର, ଖଣି ଓ ଲଜିଷ୍ଟିକ୍ସ କ୍ଷେତ୍ରର ପ୍ରକଳ୍ପ ନେଇ ମଧ୍ୟ ସମୀକ୍ଷା ହୋଇଛି। ଧାମରା ଓ ଗୋପାଳପୁର ବନ୍ଦର ସମ୍ପ୍ରସାରଣ ସହ ସଡ଼କ ଓ ରେଳ ସଂଯୋଗ ଉପରେ ଆଲୋଚନା ହୋଇଥିଲା।
ବୃହତ୍ ନିବେଶକୁ ଆକର୍ଷିତ କରିବା, ପ୍ରକଳ୍ପଗୁଡ଼ିକୁ ସମୟବଦ୍ଧ ଭାବେ କାର୍ଯ୍ୟକ୍ଷମ କରିବା ଓ ରୋଜଗାର ସୃଷ୍ଟି ଲକ୍ଷ୍ୟରେ ବିଭାଗ, କମ୍ପାନୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରଖି ଶୀଘ୍ର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।


