ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏନ ଏସ ଏସ ବ୍ୟୁରୋ ପକ୍ଷରୁ ବନ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ଗ୍ରାମରେ ରିଲିଫ ସାମଗ୍ରୀ ବଂଟନ କରାଯାଇଛି। ଏହି ଗ୍ରାମଟି ଅଧିକ ବନ୍ୟା ପ୍ରଭାବିତ ହୋଇଛି।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍), ଇନଷ୍ଟିଟ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) ଓ ସମ୍ ନର୍ସିଂ କଲେଜ କ୍ୟାମ୍ପସ୍-୧ର ଏନ ଏସ ଏସ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚୁଡା, ବିସ୍କୁଟ, ଓଆରଏସ, ସାନିଟାରୀ ଜିନିଷ, ମହମବତୀ, ଦିଆସିଲି, ମଶା ଧୂପ, ପାଣି ବୋତଲ ଆଦି ବଂଟନ କରାଯାଇଥିଲା।
ରିଲିଫ ବଂଟନ କାର୍ଯ୍ୟରେ ବାଛରା ଗ୍ରାମର ସରପଂଚ ଲିପୁ ରାଉତ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ବହୁତ ମାତ୍ରାରେ ସହଯୋଗ କରିଥିଲେ। ଉକ୍ତ ରିଲିଫ ବଂଟନ କାର୍ଯ୍ୟକ୍ରମକୁ ସୋଆର କୃଷି ମହାବିଦ୍ୟାଳୟର ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ପ୍ରାଧ୍ୟାପକ ଡ଼ଃ ସତ୍ୟ ନାରାୟଣ ଶତପଥୀ ଓ ବିଶ୍ୱ ବିଦ୍ୟାଳୟ ଏନଏସଏସ କର୍ମଚାରୀ ରାଜ ଶେଖର ବେହେରା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଏନଏସ ଏସର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ କମଳ ଲୋଚନ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସଂପାଦିତ ହୋଇଛି।


