ଭୁବନେଶ୍ଵର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଭବ୍ୟ ସମାରୋହକୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଜ୍ୱଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ‘ପରୀକ୍ଷାରେ ବିଷୟଗତ ନମ୍ବର ରଖିବା ସହିତ ନାନାବିଧ ଦକ୍ଷତାର ପରିପ୍ରକାଶ ହିଁ ବିଦ୍ୟାର୍ଥୀର ଯଥାର୍ଥ ପରିଚୟ’ କହିଥିବାବେଳେ ଭବିଷ୍ୟତରେ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା ଓ ଉଦ୍ୟୋଗୀକରଣକୁ ପାଥେୟ କରି ସାମାଜିକ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପ୍ରତ୍ୟେକ ବିଦ୍ୟାର୍ଥୀର ନୈତିକ ଦାୟିତ୍ୱ ହେବା ଉଚିତ।
ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କ ଫଳାଫଳ ପତ୍ରିକା ଐକାନ୍ତିକା ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟ ପ୍ରାତଃ ପର୍ଯ୍ୟାୟର ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ପରିବେଷିତ ବିତ୍ତାକର୍ଷକ ସମୂହଗାନ ତଥା ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଆଦିବାସୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା ପରିଚୟ ପ୍ରଦାନ କରିବା ସହ ମାନବିକ ମୂଲ୍ୟବୋଧକୁ ରକ୍ଷା କରି ସମାଜରେ ଅଗ୍ରଣୀସ୍ଥାନ ଗ୍ରହଣ କରିବା ପାଇଁ କଠୋର ପରିଶ୍ରମ ହିଁ ଲୋଡ଼ା ବୋଲି କହିଥିଲେ। ଡିଏଭି ଶିକ୍ଷାନୁଷ୍ଠାନ ଜୋନ୍- ଏଫ୍ ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ ପାଠପୂର୍ବକ ସମାଜର ଅଗ୍ରଣୀ ସେବକ ଭାବେ ନିଜକୁ ଗଢ଼ିତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ଅଧିକାରୀ ଡ. ସୁଜାତା, ବିଦ୍ୟାଳୟ ପରିଚାଳନା ସମିତିର ମ୍ୟାନେଜର ତଥା ଡିଏଭି ଶିକ୍ଷାନୁଷ୍ଠାନ ଜୋନ୍-ଇର ସହ ଆଞ୍ଚଳିକ ଅଧିକାରୀ ଇପ୍ସିତା ଦାସ, ଡିଏଭି ପବ୍ଲିକ୍ ସ୍କୁଲ ସିଡିଏ, କଟକର ଅଧ୍ୟକ୍ଷା ନମିତା ମହାନ୍ତି, ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗରର ଅଧ୍ୟକ୍ଷ ବଳରାମ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କର ଉତ୍ତରୋତ୍ତର ଅଭିବୃଦ୍ଧି କାମନା କରିଥିଲେ।
ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ପୂର୍ଣ୍ଣ ସହଯୋଗ ତଥା ନୀରିକ୍ଷିକାଗଣଙ୍କ ସକ୍ରିୟ ଯୋଗଦାନରେ ଏହି କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା। ପରିଶେଷରେ ବିଦ୍ୟାଳୟର ନିରୀକ୍ଷକ ଗଞ୍ଜନ କୁମାର ସ୍ଵାଇଁଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।


