ବାଲିପାଟଣା: ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ବାଲିପାଟଣା ଥାନା ବସନ୍ତମାଳ ଓରିସ ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଦୀର୍ଘଦିନ ଧରି ଚାଲିଥିବା ବିବାଦକୁ ନେଇ ଆଜି ସକାଳେ ରାମଚନ୍ଦ୍ର ବେହେରା ଓ କାଳୁ ବେହେରାଙ୍କ ପରିବାର ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ପରେ ଏହା ସଂଘର୍ଷର ରୂପ ନେଇଥିଲା।
ଏହି ସମୟରେ କାଳୁ ଏକ ମାରଣାସ୍ତ୍ରରେ ରାମଚନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ରାମଚନ୍ଦ୍ର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି।
ରାମଚନ୍ଦ୍ରଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାକୁ ନେଇ ରାମଚନ୍ଦ୍ରଙ୍କ ପରିବାର ପକ୍ଷରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ କାଳୁଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି।


