କଟକ: କଟକ ଜିଲ୍ଲା ନିଆଳି ଅଞ୍ଚଳର ସୁଆଁଲୋ ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର। ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପ୍ରାୟ ୪୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି।
ସୂଚନା ଅନୁସାରେ, ନିଆଳି ତହସିଲ ଅନ୍ତର୍ଗତ ସଗଡ଼ାଇଲୋ ପଞ୍ଚାୟତର ସୁଆଁଲୋ ଗାଁରେ ବିଳମ୍ବିତ ରାତିରେ ହଠାତ୍ ଘରେ ନିଆଁ ଲାଗିଥିଲା। ଦେଖୁଦେଖୁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ଏହି ସମୟରେ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ପରିସ୍ଥିତି ଆହୁରି ଭୟଙ୍କର ହୋଇଥିଲା।
ଅଗ୍ନିକାଣ୍ଡରେ ୪ ବଖରା ଘର ସହ ଘରର ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଘରେ ରଖାଯାଇଥିବା ପ୍ରାୟ ୭ ହଜାର ଟଙ୍କା ମଧ୍ୟ ନିଆଁରେ ପୋଡ଼ିଯାଇଥିବା ଜଣାପଡ଼ିଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିଶମ ଟିମ୍ ପହଞ୍ଚିବା ବେଳକୁ ଘରର ଅଧିକାଂଶ ଅଂଶ ଜଳିପୋଡ଼ି ନଷ୍ଟ ହୋଇସାରିଥିଲା।
ଏହି ଅଗ୍ନିକାଣ୍ଡରେ ପରିବାରର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସରକାରଙ୍କ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଓ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


