ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ୨୦୨୬ ବର୍ଷର ଉତ୍ତୀର୍ଣ୍ଣ ସ୍ନାତକ ଆୟୁର୍ବେଦ ଡାକ୍ତରମାନଙ୍କୁ ନେଇ ସ୍ନାତକତା ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ନବସ୍ନାତକ ଡାକ୍ତରମାନଙ୍କୁ ସମ୍ମାନିତ କରାଯିବା ସହ ଆୟୁର୍ବେଦ ଚିକିତ୍ସାର ବିକାଶ ଓ ମାନବସେବାରେ ନିଜକୁ ସମର୍ପିତ କରିବା ପାଇଁ ଅତିଥି ଓ ଅଧ୍ୟାପକମାନେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଆୟୁର୍ବେଦର ପ୍ରବର୍ତ୍ତକ ଭଗବାନ ଧନ୍ୱନ୍ତରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଛାତ୍ରୀ ଅର୍ପିତା ତରାଇ ସ୍ୱାଗତ ସଙ୍ଗୀତ ଓ ଗଣେଶ ବନ୍ଦନା ପରିବେଷଣ କରିଥିଲେ। ଛାତ୍ର ସଂସଦର ସଭାପତି ବିଶ୍ୱଜିତ ରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ଆୟୁର୍ବେଦ ଗବେଷକ ତଥା ପୂର୍ବତନ ସିଡିଏମ୍ଓ, ଢେଙ୍କାନାଳ ଆୟୁର୍ବେଦ ସର୍କଲର ମୁଖ୍ୟ ଡା. ଶିଶିର କାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବସ୍ନାତକ ଡାକ୍ତରମାନଙ୍କୁ ଆୟୁର୍ବେଦର ମୌଳିକତା, ଗବେଷଣା ଓ ରୋଗୀସେବାକୁ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦେଇଥିଲେ।
ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ, କେ.ଏ.ଟି.ଏସ୍. ଆୟୁର୍ବେଦ ମେଡିକାଲ କଲେଜର ଡା. ବିମଳ କୁମାର ପଣ୍ଡା ନବସ୍ନାତକ ଡାକ୍ତରମାନଙ୍କୁ ଭାବବିହ୍ୱଳ ବିଦାୟ ଦେବା ସହ ତାଙ୍କ ଆଗାମୀ ଜୀବନ ଓ ବୃତ୍ତିଗତ ଦାୟିତ୍ୱ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ରଖିଥିଲେ।
କଲେଜର ପ୍ରଫେସର, ଅଧ୍ୟକ୍ଷ ତଥା ଡିନ୍ ଡା. ଅରୁଣ କୁମାର ଦାସ ସ୍ନାତକତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଉତ୍ତୀର୍ଣ୍ଣ ଡାକ୍ତରମାନେ ଆୟୁର୍ବେଦର ଗୌରବ ଓ ପରମ୍ପରାକୁ ଆଗକୁ ନେବା ପାଇଁ ଆହ୍ୱାନ ଦେଇଥିଲେ।
କାୟଚିକିତ୍ସା ପିଜି ବିଭାଗର ଏଚ୍ ଓ ଡି ଡା. ଚିନ୍ମୟ ଭବାନୀ ପ୍ରସାଦ ଏବଂ କାୟଚିକିତ୍ସା ବିଭାଗର ଏଚ୍ଓଡି ଡା. ନିବେଦିତା ଆଚାର୍ଯ୍ୟ ଆଧୁନିକ ଯୁଗରେ ଆୟୁର୍ବେଦର ପ୍ରଗତି ପାଇଁ ନବପିଢ଼ିର ଡାକ୍ତରମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଛାତ୍ର ସଂସଦର ଉପଦେଷ୍ଟା ତଥା ଅଗଦତନ୍ତ୍ର ବିଭାଗର ଏଚ୍ଓଡି ଡା. ସୁବ୍ରତ ଜୟସିଂ ଉତ୍ତୀର୍ଣ୍ଣ ବିଶ୍ୱାସ ବ୍ୟାଚର ସଫଳତା ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ଦେଇଥିଲେ।

ଅଧ୍ୟାପିକା ଡା. ଜୟସିଂ ବେଜ ଉପସ୍ଥିତ ଅଭିଭାବକ ଓ ନବସ୍ନାତକ ଡାକ୍ତରମାନଙ୍କୁ ସମାଜ ପ୍ରତି ଉତ୍ସର୍ଗୀକୃତ ମନୋଭାବରେ ସେବା କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଡା. କଳାନିଧି ହୋତା ଆୟୁର୍ବେଦ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁଯୋଗ, ସମ୍ଭାବନା ଓ ଭବିଷ୍ୟତ ଦୃଷ୍ଟିକୋଣ ସମ୍ପର୍କରେ ସୂଚନା ଦେଇଥିଲେ। ଆୟୁର୍ବେଦ ସହ ଆଧୁନିକ ଚିକିତ୍ସା ବିଜ୍ଞାନର ସମନ୍ୱୟ ରଖି ନିଜର ଭିଜନ୍ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।
ଅଧ୍ୟାପକ ଡା. ସୌଭାଗ୍ୟ କୁମାର ମହାଳିକ ଆୟୁର୍ବେଦର ଶୁଦ୍ଧତା, ମୌଳିକତା ଏବଂ ଏହାର ଚିକିତ୍ସାଗତ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ ଡା. ଅଶ୍ୱନୀ ଭବାନୀ ପ୍ରସାଦ ୨୦୨୬ ବର୍ଷର ଉତ୍ତୀର୍ଣ୍ଣ ସ୍ନାତକ ଡାକ୍ତରମାନଙ୍କ ଆଗାମୀ ଦିନର ଲକ୍ଷ୍ୟ, ଆହ୍ୱାନ ଓ ଦାୟିତ୍ୱ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ରଖିଥିଲେ।
ଏହି ଅବସରରେ ଉପସ୍ଥିତ ଅଭିଭାବକମାନେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜର ଶିକ୍ଷା, ଶୃଙ୍ଖଳା ଓ ଆୟୁର୍ବେଦ କ୍ଷେତ୍ରକୁ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶେଷରେ ଉତ୍ତୀର୍ଣ୍ଣ ସ୍ନାତକ ଆୟୁର୍ବେଦ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବମୁଖର ପରିବେଶରେ ଆୟୋଜିତ ଏହି ସ୍ନାତକତା ଦିବସ ନବସ୍ନାତକ ଡାକ୍ତରମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା।


