ପୁରୀ: ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳରେ ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଛୁରାମାଡ଼ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। କଣାସ-ଡେଲାଙ୍ଗ ରାସ୍ତାରେ ଯାଉଥିବା ବେଳେ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ତାପସ ରାଉତଙ୍କୁ କାତପଡ଼ା ଗ୍ରାମର ୩ ଜଣ ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।
ଛୁରାମାଡ଼ରେ ତାପସ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ତାଙ୍କୁ ତୁରନ୍ତ କଣାସ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ସମ୍ପର୍କରେ ତାପସଙ୍କ ମା’ କଣାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଛୁରାମାଡ଼ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ୩ ଜଣ ଯୁବକଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଏହାସହ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବାଇକ୍କୁ କଣାସ ଥାନା ପୁଲିସ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ସହ ଛୁରାମାଡ଼ର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।


