ବ୍ରହ୍ମପୁର: ନୂଆଦିଲ୍ଲୀରେ ସଫଳତାର ସହ ଅନୁଷ୍ଠିତ ହୋଇଥିବା ୧୮ତମ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ଏଥିରେ ଗ୍ରହଣ କରାଯାଇଥିବା ସର୍ବସମ୍ମତ ‘ନୂଆଦିଲ୍ଲୀ ଘୋଷଣାନାମା’ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିଛନ୍ତି ବ୍ରହ୍ମପୁର ଲୋକସଭା ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ।
ଡ. ପାଣିଗ୍ରାହୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ କୁଶଳୀ କୂଟନୀତି ଯୋଗୁଁ ୧୧ଟି ରାଷ୍ଟ୍ରକୁ ନେଇ ଗଠିତ ଏହି ସଂପ୍ରସାରିତ ବ୍ରିକ୍ସ ମଞ୍ଚ ଆଜି ବିଶ୍ୱ ସ୍ତରରେ ‘ଗ୍ଲୋବାଲ ସାଉଥ୍’ର ଏକ ସଶକ୍ତ ସ୍ୱର ଭାବେ ଉଭା ହୋଇଛି. ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୫% ଏବଂ ବିଶ୍ୱ ଜିଡିପି (PPP)ର ୪୦%ରୁ ଊର୍ଦ୍ଧ୍ୱ ପ୍ରତିନିଧିତ୍ୱ କରୁଥିବା ଏହି ସମୂହ ଏବେ ନିୟମ ପାଳନକାରୀରୁ ନିୟମ ନିର୍ଦ୍ଧାରକ (‘Rule-takers to Rule-shapers’) ହେବା ଦିଗରେ ଅଗ୍ରସର ହୋଇଛି।
ସମ୍ମିଳନୀର ପ୍ରମୁଖ ସଫଳତା:
ବିଶ୍ୱ ସଂସ୍ଥାଗୁଡ଼ିକର ସଂସ୍କାର: ମିଳିତ ଜାତିସଂଘ ନିରାପତ୍ତା ପରିଷଦ (UNSC)ରେ ଭାରତ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ଭଳି ବିକାଶଶୀଳ ଦେଶମାନଙ୍କୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରିବା ସହ ବିଶ୍ୱ ବ୍ୟାଙ୍କ, ଆଇଏମଏଫ (IMF) ଏବଂ ଡବ୍ଲୁଟିଓ (WTO)ର ଗଠନମୂଳକ ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ୧୦-ଦଫା ପ୍ରସ୍ତାବକୁ ସମ୍ମିଳନୀରେ ସର୍ବସମ୍ମତି ମିଳିଛି।
ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କୂଟନୀତି: ପଶ୍ଚିମ ଏସିଆ ଓ ଗାଜା ସଂଘର୍ଷ ପରିସ୍ଥିତିରେ ସଂଯମତା ରକ୍ଷା, ମାନବୀୟ ସହାୟତା ଯୋଗାଣ ଏବଂ ଏକପାଖିଆ ଶୁଳ୍କ ଓ କଟକଣାକୁ ବିରୋଧ କରି ବ୍ରିକ୍ସ ରାଷ୍ଟ୍ରମାନେ ଶାନ୍ତିର ବାର୍ତ୍ତା ଦେଇଛନ୍ତି।
ଦ୍ୱିପାକ୍ଷିକ ସମ୍ପର୍କର ସୁଦୃଢ଼ୀକରଣ: ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସୀମାନ୍ତରେ ଶାନ୍ତି ଓ ପାରସ୍ପରିକ ସମ୍ମାନ ଉପରେ ଗଠନମୂଳକ ଆଲୋଚନା ତଥା ୟୁଏଇ (UAE) ସହ ବାଣିଜ୍ୟ ଏବଂ ଆଇମେକ (IMEC) କରିଡର ସମ୍ପର୍କରେ ଫଳପ୍ରଦ ଆଲୋଚନା ଭାରତର ସ୍ଥିତିକୁ ଆହୁରି ମଜଭୁତ କରିଛି।
ଅର୍ଥନୈତିକ ସ୍ୱାର୍ଥ ଓ ଏମଏସଏମଇ (MSME): ସ୍ଥାନୀୟ ମୁଦ୍ରାରେ କାରବାର ବୃଦ୍ଧି ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME)କୁ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସାମିଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶା ପାଇଁ ଅପାର ଗୌରବର ମୁହୂର୍ତ୍ତ:
ଡ. ପାଣିଗ୍ରାହୀ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି ଯେ, ଏହି ମହାସମ୍ମିଳନୀରେ ବିଶ୍ୱ ନେତୃବୃନ୍ଦଙ୍କୁ ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିକୃତି ଉପହାର ପ୍ରଦାନ କରାଯିବା ସହ ସମସ୍ତ ଅତିଥିଙ୍କୁ ଓଡ଼ିଶାର ଜୈବିକ ଉତ୍ପାଦ ‘କୋରାପୁଟ କଫି’ ପରିବେଷଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଓଡ଼ିଶାର ଆଧ୍ୟାତ୍ମିକ ସଂସ୍କୃତି ତଥା ଆଦିବାସୀ ଚାଷୀ ଭାଇଭଉଣୀଙ୍କ ପରିଶ୍ରମକୁ ବିଶ୍ୱ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି, ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ।


