ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ଉଦ୍ଧାର ଓରାଙ୍ଗଉଟାନ୍ଙ୍କ ମଧ୍ୟରୁ ଜଣେ ଶିଶୁ ଓରାଙ୍ଗଉଟାନ୍ ପୁଣି ଥରେ ଜ୍ୱରରେ ଆକ୍ରାନ୍ତ ହୋଇଛି। ଏହାକୁ ନେଇ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍କୁ ଆସିଛନ୍ତି। ଅସୁସ୍ଥ ଓରାଙ୍ଗଉଟାନ୍ର ସ୍ୱାସ୍ଥ୍ୟବସ୍ଥା ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନଜର ରଖିବା ସହ ତା’ର ଚିକିତ୍ସା ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଭୋଗରାଇ ଅଞ୍ଚଳରୁ ୫ଟି ଶିଶୁ ଓରାଙ୍ଗଉଟାନ୍ଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଛି। ତେବେ ଏହି ୫ଟି ଶିଶୁ ଓରାଙ୍ଗଉଟାନ୍ଙ୍କର ସମୁଚିତ ଯତ୍ନ, ସ୍ୱାସ୍ଥ୍ୟ ସୁରକ୍ଷା, ଖାଦ୍ୟପେୟ ଏବଂ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ପ୍ରସ୍ତୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୫ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ଏହି ବୈଷୟିକ କମିଟି ଓରାଙ୍ଗଉଟାନ୍ଙ୍କ ରକ୍ଷଣାବେକ୍ଷଣ ସହ ଜଡ଼ିତ ପ୍ରତ୍ୟେକ ଦିଗକୁ ଅନୁଧ୍ୟାନ କରି ବିଶେଷଜ୍ଞ ପରାମର୍ଶ ଦେବେ। ନନ୍ଦନକାନନ ବାୟୋଲୋଜିକାଲ୍ ପାର୍କର ନିର୍ଦ୍ଦେଶକ ଏହି କମିଟିର ସଦସ୍ୟ-ଆବାହକ ଭାବେ ଦାୟିତ୍ୱ ତୁଲାଉଛନ୍ତି।


