ଭୁବନେଶ୍ୱର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଅବସରରେ ସମଗ୍ର ପଶ୍ଚିମ ଓଡ଼ିଶା ହୋଇଛି ଉତ୍ସବ ମୁଖର। ଘରେ ଘରେ ଚାଲିଛି ପର୍ବ ପାଇଁ ପ୍ରସ୍ତୁତି। ନୂଆ ଧାନରୁ ପ୍ରସ୍ତୁତ ହେବ ନୂଆଖାଇର ନବାନ୍ନ। ପନିପରିବା, ଫଳ, ମିଠା, ପୂଜା ସାମଗ୍ରୀ ସହ ବିଭିନ୍ନ ଜିନିଷ କିଣିବା ପାଇଁ ବଜାରରେ ଲାଗିଛି ଭିଡ଼। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆଖାଇ ପାଳନ କରିବା ସହ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରିବେ। ଏହାପରେ ଗୁରୁଜନଙ୍କୁ ଜୁହାର କରି ଆଶୀର୍ବାଦ ନେବାର ପରମ୍ପରା ରହିଛି। ନୂଆଖାଇକୁ ନେଇ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚଗୀତ ଓ ଭେଟଘାଟର ଆୟୋଜନ ମଧ୍ୟ କରାଯାଉଛି।


