ବ୍ରହ୍ମପୁର: ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଧୀରେଧୀରେ ଉଗ୍ର ରୂପ ନେଇ ଶେଷରେ ବୋମାମାଡ଼ରେ ପହଞ୍ଚିଛି। ବ୍ରହ୍ମପୁର ସହର ଉପକଣ୍ଠ ତଥା ସଦର ଥାନା ଅଧୀନ କୁକୁଡ଼ାଖଣ୍ଡି ଗ୍ରାମର ଦାସସାହିରେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଖଣ୍ଡା ବୁଲିବା ସହ ବୋମା ବିସ୍ଫୋରଣ ହୋଇଛି। ଘଟଣାକୁ ନେଇ ସାହିରେ ଭୟ ଓ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା। ଏହାକୁ କେନ୍ଦ୍ର କରି ଆଜି ଅପରାହ୍ଣରେ ପୁଣିଥରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଖଣ୍ଡା ଆକ୍ରମଣରେ ସନିଆ ଦାସ ନାମକ ଜଣେ ଯୁବକ ଆହତ ହୋଇଥିବା ଜଣାପଡ଼ିଛି।
ସନିଆ ଦାସ ଆହତ ହେବା ପରେ ପ୍ରତିପକ୍ଷ ଗୋଷ୍ଠୀ ଉତ୍ତେଜିତ ହୋଇପଡ଼ିଥିଲେ। ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବ୍ରହ୍ମପୁର ସହରରୁ କିଛି ଯୁବକଙ୍କୁ ଡକାଯାଇଥିବା ଅଭିଯୋଗ ହୋଇଛି।
ପ୍ରାୟ ୨୦ଟି ବାଇକ୍ରେ ୨୫ରୁ ୩୦ ଜଣ ଯୁବକ ଦାସସାହିରେ ପହଞ୍ଚିଥିଲେ। ସାହିମୁହଁରେ ଅତର୍କିତ ଭାବେ ବୋମାମାଡ଼ କରି ସେମାନେ ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି।
ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ବାଇକ୍ ଯୋଗେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ସାହିବାସିନ୍ଦାମାନେ ସେମାନଙ୍କ ପିଛା କରି ଦୁଇଜଣଙ୍କୁ କାବୁ କରିଥିବା ସୂଚନା ମିଳିଛି।
ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବୋମାମାଡ଼ ପଛରେ କେଉଁମାନେ ଥିଲେ ଏବଂ ପୂର୍ବ ଶତ୍ରୁତାର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ଜାରି ରହିଛି।


