କୋରାପୁଟ: ସଜନା ଶାଗ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ଜୀବନଯିବା ଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩୦ ବର୍ଷୀୟ ଯୁବକ ପର୍ଶୁରାମ ସୌରାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ପର୍ଶୁରାମ କୋରାପୁଟ ଜିଲ୍ଲା ବି. ସିଂହପୁର ଥାନା ଅଧୀନ ପଖନାଗୁଡ଼ା ଗ୍ରାମର ଶ୍ୟାମସୁନ୍ଦର ସୌରାଙ୍କ ପୁଅ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପର୍ଶୁରାମ ସଜନା ଗଛରୁ ଶାଗ ତୋଳିବାକୁ ଯାଇଥିଲେ। ତେବେ ଗଛ ନିକଟ ଦେଇ ଯାଇଥିବା ହାଇଭୋଲଟେଜ୍ ୧୧ କେଭି ବିଦ୍ୟୁତ୍ ତାର ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଅସାବଧାନତାବଶତଃ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ସେଠାରେ ହିଁ ଆକ୍ରାନ୍ତ ହୋଇ ଗଛର ଦୁଇଟି ଡାଳ ମଝିରେ ପଡ଼ିଯାଇଥିଲେ। ବିଦ୍ୟୁତ୍ ସଂଘାତ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପର୍ଶୁରାମଙ୍କ ଅକାଳ ମୃତ୍ୟୁ ଖବର ପଖନାଗୁଡ଼ା ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର କଳାଛାୟା ଖେଳିଯାଇଛି। ପରିବାର ପାଇଁ ଶାଗ ତୋଳିବାକୁ ଯାଇଥିବା ଯୁବକଙ୍କର ଏପରି ଆକସ୍ମିକ ବିୟୋଗକୁ ପରିବାର ଲୋକେ ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ବି. ସିଂହପୁର ଥାନା ଆଇଆଇସି ସୂରଜ ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଗଛରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।


