ଭଦ୍ରକ: ସାହି ସାହି ମଧ୍ୟରେ ଥିବା ପୁରୁଣା ବିବାଦ ଶେଷରେ ନେଲା ଉଗ୍ର ରୂପ। ରାତିରେ ହଠାତ୍ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ଜେନା ସାହିରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ରାନ୍ଦିଆ ଅଞ୍ଚଳରେ ଦୁଇ ସାହି ମଧ୍ୟରେ ଦୀର୍ଘଦିନ ଧରି ପୁରୁଣା ବିବାଦ ରହିଥିଲା। କୌଣସି ଏକ କାରଣକୁ ନେଇ ପୁଣିଥରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଗୋଟିଏ ପକ୍ଷର ୩୯ରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଆସି ଲକ୍ଷ୍ମୀଧର ଜେନାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ବାପାଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ତାଙ୍କ ଦୁଇ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ଲକ୍ଷ୍ମୀଧର ଜେନା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ, ତାଙ୍କ ପୁଅ ପର୍ଶୁରାମ ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପର୍ଶୁରାମଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାର ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣର କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି।


