ଭୁବନେଶ୍ୱର: ପାରିବାରିକ ଗଣ୍ଡଗୋଳରୁ ଭୟଙ୍କର ରୂପ ନେଲା ବିବାଦ। ଭାଇ ଉପରକୁ ଭାଇ ଫିଙ୍ଗିଲା ବୋମା। ବୋମାମାଡ଼ରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ମହୁଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା।
ସୂଚନା ଅନୁଯାୟୀ, ପରିବାରର କୌଣସି ଏକ ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କଥା କଟାକଟିରୁ ବିବାଦ ଏତେ ବଢ଼ିଯାଇଥିଲା ଯେ ଜଣେ ଭାଇ ଅନ୍ୟ ଭାଇଙ୍କ ଉପରକୁ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି।
ବୋମା ବିସ୍ଫୋରଣରେ ଦୁଇ ଭାଇ ଆହତ ହୋଇଥିଲେ। ଘଟଣା ପରେ ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଜଣେ ଭାଇଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଖବର ପାଇ ଘଟଣାସ୍ଥଳରେ ପୁଲିସ ଡିଜିପି ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହା ସହ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ବୋମାମାଡ଼ର ପ୍ରକୃତ କାରଣ, ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ବୋମା କେଉଁଠାରୁ ଆସିଲା, ସେନେଇ ପୁଲିସ ତଦନ୍ତ ଚଳାଇଛି।
ଘଟଣାକୁ ନେଇ ମହୁଲ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିବାବେଳେ ପୁଲିସ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।


