ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ସରକାରଙ୍କ ‘ସୁଭଦ୍ରା ଯୋଜନା’କୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ୫ଟି କିସ୍ତିରେ ଆର୍ଥିକ ସହାୟତା ପ୍ରଦାନ କରାଯାଇସାରିଛି। ଏହି ସହାୟତା ପାଇ ମହିଳାମାନେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାରକୁ ମଧ୍ୟ ସହଯୋଗ କରୁଛନ୍ତି।
ସୁଭଦ୍ରା ଯୋଜନାର ଦୁଇ ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସେବା ଓ ସଂକଳ୍ପକୁ ସମ୍ମାନ ଜଣାଇ ଆସନ୍ତାକାଲି ସଂଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ ଘରେ ଦୀପ ଜାଳିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନୁରୋଧ କରିଛନ୍ତି।
ଅପରପକ୍ଷରେ, ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖରୁ ମାସେ ପାଇଁ ସୁଭଦ୍ରା ପୋର୍ଟାଲ ପୁନର୍ବାର ଖୋଲିବ। ଯେଉଁ ଯୋଗ୍ୟ ମହିଳାମାନେ ପୂର୍ବରୁ ଆବେଦନ କରିନାହାନ୍ତି କିମ୍ବା କୌଣସି କାରଣବଶତଃ ବଞ୍ଚିତ ହୋଇଥିଲେ, ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଖାସକରି ଯେଉଁ ନୂଆ ଆବେଦନକାରୀମାନଙ୍କ ବୟସ ୨୧ ବର୍ଷ ହୋଇଥିବ, ସେମାନେ ମଧ୍ୟ ଏହି ଅବଧି ମଧ୍ୟରେ ଆବେଦନ କରିପାରିବେ।


