ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପ୍ରେମିକାଙ୍କ ଘର ଆଗରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ବାବରାକୋଟ ଗାଁର ୨୮ ବର୍ଷୀୟ ସିଲୁ ରାୟ ବୋଲି ଚିହ୍ନଟ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ତାଙ୍କୁ ଜୀବନ୍ତ ଜାଳି ଦିଆଯାଇଛି। ରିଆମାଳ ଗାଁରେ ଥିବା ପ୍ରେମିକାଙ୍କ ଘର ନିକଟରୁ ହିଁ ସିଲୁଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଚର୍ଚ୍ଚା ପ୍ରକାଶ ପାଇଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି। ଏହି ମାମଲାରେ ପୋଲିସ ପ୍ରେମିକାଙ୍କ ସମେତ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ଅଟକ ରଖି ଥାନାରେ ପଚରାଉଚରା ଚଳାଇଛି। ପୋଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଘଟଣାର ସତ୍ୟତା ସାମ୍ନାକୁ ଆସିବ।


