ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହାତୀ ଆତଙ୍କ। ଭରତପୁର-ଚନ୍ଦକା ରାସ୍ତାର ଅନ୍ଧାରୁଆ ଛକ ନିକଟରେ ଏକ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ହାତୀ ଚଳପ୍ରଚଳ କରୁଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ହାତୀଟିର ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ଏହା ଛୋଟେଇ ଛୋଟେଇ ଚାଲୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆହତ ଦନ୍ତା ହାତୀଟି ଅନ୍ଧାରୁଆ ଛକ ଉପରେ ବୁଲୁଥିବାରୁ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ହାତୀର ସୁରକ୍ଷା ଏବଂ ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ତାକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଏହି ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଯାଇଥିଲା। ତେବେ ହାତୀଟି ପୁଣି ରାସ୍ତା ଉପରକୁ ଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି। ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ପଠାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।


