ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାପାଳ ଓ ଲିଡ୍ ବ୍ୟାଙ୍କ ପରିଚାଳକଙ୍କୁ ଚିଠି ଲେଖି ଜିଲ୍ଲାରେ ବ୍ୟାଙ୍କଗୁଡ଼ିକର CSR ରାଶିର ସୁବ୍ୟବହାର ଓ ପାରଦର୍ଶୀ ପରିଚାଳନା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଗଞ୍ଜାମ ପାଇଁ ୪୬.୮୧ କୋଟି ଟଙ୍କା CSR ରାଶି ଆସିଥିବାବେଳେ ୩୬.୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ୧୦.୪୭ କୋଟି ଟଙ୍କା ଅବ୍ୟବହୃତ ରହିଛି।
ଏହି ପାଞ୍ଚ ବର୍ଷରେ ମୋଟ ୧,୦୫୨ଟି CSR ପ୍ରସ୍ତାବ ମଧ୍ୟରୁ ୪୮୯ଟି ଅନୁମୋଦିତ, ୧୬୮ଟି ପ୍ରତ୍ୟାଖ୍ୟାନ ଏବଂ ୩୯୫ଟି ପ୍ରସ୍ତାବରେ କୌଣସି ନିଷ୍ପତ୍ତି ହୋଇନାହିଁ। ସାଂସଦ ଏହି ଅବ୍ୟବହୃତ ରାଶି ଓ ପେଣ୍ଡିଂ ପ୍ରସ୍ତାବଗୁଡ଼ିକୁ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ଗ୍ରାମୀଣ ଓ କୌଶଳ ବିକାଶ ଭଳି ଜିଲ୍ଲାର ଆବଶ୍ୟକତା ଥିବା କ୍ଷେତ୍ରରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଏଥିପାଇଁ ସାଂସଦ “ଗଞ୍ଜାମ ଜିଲ୍ଲା CSR କନସୋର୍ଟିଅମ୍” ଗଠନର ପ୍ରସ୍ତାବ ରଖିଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ, ଲିଡ୍ ବ୍ୟାଙ୍କ ପରିଚାଳକଙ୍କ ସମନ୍ୱୟରେ ସମସ୍ତ ବ୍ୟାଙ୍କର ପ୍ରତିନିଧିଙ୍କୁ ନେଇ ଏହି କନସୋର୍ଟିଅମ୍ ଗଠନ କରି CSR ପ୍ରକଳ୍ପର ସମନ୍ୱୟ, ପେଣ୍ଡିଂ ପ୍ରସ୍ତାବର ନିୟମିତ ସମୀକ୍ଷା, ରାଶିର ବ୍ୟବହାର ଓ ପ୍ରଭାବର ମନିଟରିଂ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
ସାଂସଦ ୩୦ ଦିନ ମଧ୍ୟରେ କନସୋର୍ଟିଅମ୍ ଗଠନ, ୩୯୫ଟି ପେଣ୍ଡିଂ ପ୍ରସ୍ତାବର ସମୀକ୍ଷା, ୧୦.୪୭ କୋଟି ଟଙ୍କା ଅବ୍ୟବହୃତ ରାଶି ପାଇଁ ବ୍ୟବହାର ରୋଡମ୍ୟାପ୍ ଏବଂ ୨୦୨୬-୨୭ରେ CSR ରାଶିର ସର୍ବାଧିକ ବ୍ୟବହାର ସୁନିଶ୍ଚିତ କରିବାକୁ ପ୍ରସ୍ତାବ ରଖିଛନ୍ତି। ଏହାକୁ DCC ବୈଠକରେ ଆଲୋଚନା କରି ଏକ ପାରଦର୍ଶୀ, ଉତ୍ତରଦାୟୀ ଓ ଜିଲ୍ଲା ବିକାଶମୁଖୀ CSR ବ୍ୟବସ୍ଥା ଗଠନ ପାଇଁ ସେ ଅନୁରୋଧ କରିଛନ୍ତି।


