ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ମାଲଗାଁ ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ବୋଲେରୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ପୂର୍ବତନ ସମିତିସଭ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଭାଟିପଡ଼ା ଗ୍ରାମର ୬୦ ବର୍ଷୀୟ ସୁରୁଚନ୍ଦ୍ର ବାଘ। ଆହତ ଗୁଣ ସୁନାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ପଲସାପଡ଼ା ଗ୍ରାମର ଏକ ବୋଲେରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଅଭିମୁଖେ ଯାଉଥିଲା। ଏହି ସମୟରେ ମାଲଗାଁ ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା।
ବାଇକରେ ଭାଟିପଡ଼ା ଗ୍ରାମର ପୂର୍ବତନ ସମିତିସଭ୍ୟ ସୁରୁଚନ୍ଦ୍ର ବାଘ ଓ କଳାହାଣ୍ଡି ଜିଲ୍ଲା ନିଙ୍ଗିଗୁଡ଼ା ଗ୍ରାମର ୬୩ ବର୍ଷୀୟ ଗୁଣ ସୁନା ଯାଉଥିଲେ। ଦୁର୍ଘଟଣାରେ ଉଭୟ ବାଇକ ଆରୋହୀ ଛିଟିକି ରାସ୍ତା ଉପରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ।
ଦୁର୍ଘଟଣା ପରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଯୋଗେ ଉଭୟଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁରୁଚନ୍ଦ୍ର ବାଘଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ, ଗୁଣ ସୁନାଙ୍କ ଗୋଡ଼ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ରେଫର କରାଯାଇଛି।
ଖବର ପାଇ ଚନ୍ଦାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଓ ବାଇକକୁ ଜବତ କରିଛି। ଏନେଇ ଚନ୍ଦାହାଣ୍ଡି ଥାନାରେ ଦୁର୍ଘଟଣାଜନିତ ମାମଲା ନମ୍ବର ୧୬୯/୨୬ ରୁଜୁ ହୋଇଛି।
ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।


