ହିଞ୍ଜିଳିକାଟୁ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହିଞ୍ଜିଳକାଟୁ ଆଇସିଡିଏସ୍ ସୁପରଭାଇଜର ବି. ଉମା ପାତ୍ର ଏବଂ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା। ଏକ ଅଙ୍ଗନବାଡ଼ି କେନ୍ଦ୍ରର ଗତ ୧୧ ମାସର ବାକି ଥିବା ଘରଭଡ଼ା ଟଙ୍କା ମଞ୍ଜୁର କରିବା ପାଇଁ ସେମାନେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଦାବି ମୁତାବକ ଲାଞ୍ଚ ଟଙ୍କା ନଦେଲେ ଆଗାମୀ ମାସର ଘରଭଡ଼ା ମଧ୍ୟ ବନ୍ଦ କରିଦିଆଯିବ ବୋଲି ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସେମାନେ ଧମକ ଦେଇଥିଲେ। ଏ ନେଇ ଅଙ୍ଗନବାଡ଼ି କର୍ମୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଜାଲ ବିଛାଇ ସିଡିପିଓ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଭିଯୋଗକାରିଣୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ରଙ୍ଗେହାତ ଧରିଥିଲେ। ଭିଜିଲାନ୍ସ ଟିମ୍ ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି। ଏଥିସହିତ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଦୁଇ ଅଭିଯୁକ୍ତଙ୍କ ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଛି।


