ନୂଆଦିଲ୍ଲୀ: ଟାଟା ସନ୍ସ ବୋର୍ଡ ଦ୍ୱାରା ଏନ୍ ଚନ୍ଦ୍ରଶେଖରନଙ୍କୁ ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତିକୁ ଟାଟା ଟ୍ରଷ୍ଟ ଅବୈଧ ବୋଲି କହିଛି ଏବଂ ବୋର୍ଡ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଟାଟା ଟ୍ରଷ୍ଟ ସ୍ପଷ୍ଟ ଭାବରେ କହିଛି ଯେ, ବୋର୍ଡ ବୈଠକରେ ଦିଆଯାଇଥିବା ୪:୧ ଭୋଟର କୌଣସି ଆଇନଗତ ଅର୍ଥ ନାହିଁ, କାରଣ କମ୍ପାନୀର ନିୟମ ଅନୁଯାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଟ୍ରଷ୍ଟର ମନୋନୀତ ନିର୍ଦ୍ଦେଶକଙ୍କ ସମ୍ମତି ଆବଶ୍ୟକ, ଯାହା ପୂରଣ ହୋଇନଥିଲା।
ଟାଟା ସନ୍ସ ବୋର୍ଡ ଆଗାମୀ ପାଞ୍ଚ ବର୍ଷ ପାଇଁ ଏନ୍ ଚନ୍ଦ୍ରଶେଖରନଙ୍କୁ ପୁନଃନିଯୁକ୍ତି ପାଇଁ ଏକ ପ୍ରସ୍ତାବ ପାସ୍ କରିଥିଲା। କିନ୍ତୁ କମ୍ପାନୀର ସବୁଠାରୁ ବଡ଼ ସେୟାରଧାରୀ ଟାଟା ଟ୍ରଷ୍ଟ ଏହି ନିଷ୍ପତ୍ତିକୁ ଆଇନଗତ ଭାବରେ ଅବୈଧ ଘୋଷଣା କରିଛି। ଆଜି ଜାରି ଏକ ବିବୃତ୍ତିରେ ଟାଟା ଟ୍ରଷ୍ଟ କହିଛି ଯେ, କମ୍ପାନୀ ନିୟମ ଅନୁଯାୟୀ, କୌଣସି ନିଷ୍ପତ୍ତି ପାଇଁ ଟାଟା ଟ୍ରଷ୍ଟର ମନୋନୀତ ନିର୍ଦ୍ଦେଶକଙ୍କ ସକାରାତ୍ମକ ସମର୍ଥନ ବୋର୍ଡକୁ ଦିଆଯାଇ ନଥିଲା।


