ଭୁବନେଶ୍ୱର: ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଅଭିଯୋଗ ପରେ ଏବେ ରାଜ୍ୟରେ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଶ୍ୟକୀୟ ସଂଶୋଧନ ଓ ପରିମାର୍ଜନ କରାଯାଇ ପ୍ରସ୍ତୁତ କରାଯାଇଥିବା ଏହି ନୂତନ ବହିଗୁଡ଼ିକ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚାଯାଉଛି। ପୂର୍ବରୁ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାର ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାର କାର୍ଯ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ସଂପୃକ୍ତ ସ୍ଥାନଗୁଡ଼ିକରେ ଆବଶ୍ୟକ ସୁଧାର ଅଣାଯାଇ ଏକ ନୂତନ ସଂସ୍କରଣ ପ୍ରକାଶ କରାଯାଇଛି। ନୂଆ ବହିଗୁଡ଼ିକ ବିଦ୍ୟାଳୟରେ ପହଞ୍ଚିବା ମାତ୍ରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଉଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।


