ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାରେ ଏକ ଗାଡ଼ି ଭିତରୁ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କଶ୍ମୀରକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଯାତାୟାତ ରୁଟ୍ରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ପୋଲିସ କର୍ମଚାରୀ ଦ୍ୱୟ ହେଲେ ରାମବନ ଜିଲ୍ଲା ପୋଲିସ ଲାଇନ୍ସ (ଡିପିଏଲ)ରେ ନିୟୋଜିତ ଥିବା ହେଡ୍ କନଷ୍ଟେବଳ ଫରିଦ ଅହମଦ ଏବଂ ସିଲେକ୍ସନ ଗ୍ରେଡ୍ କନଷ୍ଟେବଳ ମହମ୍ମଦ ୟାକୁବ। ଉଭୟଙ୍କୁ ଏକ କାର୍ ଭିତରେ ସନ୍ଦେହଜନକ ସ୍ଥିତିରେ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ରାମବନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ, ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଉଭୟ ପୋଲିସ କର୍ମଚାରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ସମ୍ପୂର୍ଣ୍ଣ ଘଟଣାବଳୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଏହି ମାମଲାରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣାର ପଛର କାରଣ ଜାଣିବା ପାଇଁ ବ୍ୟାପକ ତଦନ୍ତ ଆରମ୍ଭ କରିଛି।


