ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ବର୍ଷା ବିପତ୍ତି ମଧ୍ୟରେ ରେମୁଣା ଥାନା ଅନ୍ତର୍ଗତ ଖରିଦମୁଖୁରା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାପି ହୋଇ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଜିଲ୍ଲାରେ ଲାଗିରହିଥିବା ବର୍ଷା ଯୋଗୁଁ ଖରିଦମୁଖୁରା ଗ୍ରାମର ଗଜେନ୍ଦ୍ର ସିଂହ (୬୫)ଙ୍କ ମାଟି ଘର କାନ୍ଥ ଅତିମାତ୍ରାରେ ବତୁରି ଯାଇଥିଲା। ହଠାତ୍ କାନ୍ଥଟି ଭୁଶୁଡ଼ି ପଡ଼ିବାରୁ ତାହା ତଳେ ଗଜେନ୍ଦ୍ର ଏବଂ ତାଙ୍କ ପୁଅ ସିପୁନ ଚାପି ହୋଇଯାଇଥିଲେ। ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ତେବେ ସେଠାରେ ଡାକ୍ତର ଗଜେନ୍ଦ୍ର ସିଂହଙ୍କୁ ମୃତ ଘୋଷଣା କରିଥିବା ବେଳେ ସିପୁନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଘଟଣାରେ ରେମୁଣା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୨୩/୨୬) ରୁଜୁ କରାଯାଇଛି। ପୁଲିସ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


