କଟକ: ଐତିହାସିକ କଟକ ସହରର ପ୍ରସିଦ୍ଧ ଦଶହରା ଭସାଣି ଶୋଭାଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ପାଇଁ ଚଳିତ ବର୍ଷ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାର ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କରାଯିବ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଆଜି ନେତାଜୀ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଦଶହରା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ କହିଛନ୍ତି ଯେ, ସହରର ୪ଟି ପ୍ରମୁଖ ସ୍ଥାନରୁ ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ କରାଯିବ। ଏହି ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ନ୍ୟସ୍ତ କରାଯାଇଛି। ବିଶେଷକରି ବରିଷ୍ଠ ନାଗରିକ, ଯେଉଁମାନେ ଭିଡ଼ ମଧ୍ୟକୁ ଆସିପାରିବେ ନାହିଁ, ସେମାନେ ଯେପରି ଘରେ ବସି ଦଶହରା ଭସାଣିର ଆନନ୍ଦ ନେଇପାରିବେ, ସେଥିପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।


