ଗଜପତି: ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଭୂସ୍ଖଳନ ଓ ଜରୁରୀକାଳୀନ ପରିସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ (SRC) ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ। ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସି ରାସ୍ତାଘାଟ ବାଧାପ୍ରାପ୍ତ ହୋଇଥିବା ଅଞ୍ଚଳଗୁଡ଼ିକର ସ୍ଥିତି ଏବଂ ପରିଚାଳନା ବ୍ୟବସ୍ଥାର ସେ ଅନୁଧ୍ୟାନ କରିଛନ୍ତି।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ସଚିବ ଗଜପତି ଜିଲ୍ଲା ଗସ୍ତ କରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ସେ ମୋହନା, ଆର୍.ଉଦୟଗିରି, ନୂଆଗଡ଼ ଓ ରାୟଗଡ଼ ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବର୍ଷା ଜନିତ କ୍ଷୟକ୍ଷତି ଓ ସ୍ଥିତିର ତଦାରଖ କରିଥିଲେ। ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର, ଲୋକଙ୍କ ସୁରକ୍ଷା, ଉଦ୍ଧାର, ସ୍ଥାନାନ୍ତରଣ ଏବଂ ରିଲିଫ୍ ବଣ୍ଟନ ସମ୍ପର୍କରେ ସେ ସ୍ଥାନୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଗସ୍ତର ସବିଶେଷ ରିପୋର୍ଟ ସେ SRCଙ୍କୁ ପ୍ରଦାନ କରିବେ।
ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନ୍ନାଗା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ରାଉଳଙ୍କ ସମେତ ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


