ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ଷାଜନିତ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ଼ ସହାୟତା ଘୋଷଣା କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଆୟୁକ୍ତ (SRC) ୪ଟି ପ୍ରଭାବିତ ଜିଲ୍ଲା ପାଇଁ ମୋଟ ୧୦ କୋଟି ଟଙ୍କାର ରିଲିଫ୍ ପଣ୍ଡ୍ ମଞ୍ଜୁର କରିଛନ୍ତି। ନବରଙ୍ଗପୁର ପାଇଁ ୫ କୋଟି, ଗଞ୍ଜାମ ପାଇଁ ୨ କୋଟି, ଗଜପତି ପାଇଁ ୨ କୋଟି, ଝାରସୁଗୁଡ଼ା ପାଇଁ ୧ କୋଟିର ମଞ୍ଜୁର କରାଯାଇଛି । କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଓ ବିପର୍ଯ୍ୟୟ ଯୋଗୁଁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘରଗୁଡ଼ିକର ମରାମତି ପାଇଁ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ହୋଇ ନଷ୍ଟ ହୋଇଥିବା ଚାଷଜମିର ଆକଳନ କରି ଚାଷୀମାନଙ୍କୁ ଆଶ୍ୱାସନା ସ୍ୱରୂପ କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ପାନୀୟ ଜଳ, ପରିଷ୍କାର ପରିଚ୍ଛନ୍ନତା ଏବଂ ଜରୁରୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ରହିଛି।


