ବାରିପଦା: ଅଧାରାତିରେ ଘର ବାରଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଇ-ସ୍କୁଟି। ପାଖରେ ଥିବା ଅନ୍ୟ ଏକ ବାଇକ୍କୁ ମଧ୍ୟ କବଳିତ କଲା ନିଆଁ। ତେବେ ସୌଭାଗ୍ୟବଶତଃ ନିଆଁ ଘର ଭିତରକୁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ ହୋଇଯିବାରୁ ଏକ ବଡ଼ ଅଘଟଣରୁ ରକ୍ଷା ପାଇଲେ ପରିବାର। ଘଟଣାଟି ବଡ଼ସାହି ଥାନା ଅଧୀନ କୁଳିଅଣା ଉପକଣ୍ଠ ବର୍ତ୍ତନା ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, ବର୍ତ୍ତନା ଗ୍ରାମର କିଶୋର କୁମାର ଦାସ ପ୍ରାୟ ୬ ମାସ ତଳେ ଏକ ହିରୋ ଭିଡା ଇ-ସ୍କୁଟି କିଣିଥିଲେ। ଗତକାଲି ରାତି ପ୍ରାୟ ୯ଟା ସମୟରେ ସେ ଘରକୁ ଫେରିବା ପରେ ସ୍କୁଟିଟିକୁ ଘର ବାରଣ୍ଡାରେ ରଖିଥିଲେ। ସେଠାରେ ପୂର୍ବରୁ ତାଙ୍କର ଅନ୍ୟ ଏକ ବାଇକ୍ ମଧ୍ୟ ରହିଥିଲା। ତେବେ ରାତି ପ୍ରାୟ ୧ଟା ବେଳେ ହଠାତ୍ ବାରଣ୍ଡାରୁ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ କିଶୋର। ଆଖି ପିଛୁଳାକେ ନିଆଁ ସ୍କୁଟିକୁ ସମ୍ପୂର୍ଣ୍ଣ କବଳିତ କରି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।
ସ୍କୁଟିରେ ଲାଗିଥିବା ନିଆଁ ଧୀରେ ଧୀରେ ପାଖରେ ରଖାଯାଇଥିବା ବାଇକ୍କୁ ବ୍ୟାପି ଯାଇଥିଲା। ଫଳରେ ଉଭୟ ଗାଡ଼ି ନିଆଁ କବଳରେ ପଡ଼ିଥିଲା। ହଠାତ୍ ଘଟିଥିବା ଏହି ଘଟଣାରେ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ସେତେବେଳକୁ ନିଆଁରେ ଉଭୟ ଗାଡ଼ି ପ୍ରାୟ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ।
ପ୍ରାଥମିକ ସ୍ତରରେ ସର୍ଟ ସର୍କିଟ୍ ଯୋଗୁଁ ଇ-ସ୍କୁଟିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ସ୍କୁଟିଟି ମାତ୍ର ପ୍ରାୟ ୬ ମାସ ପୂର୍ବରୁ କିଣାଯାଇଥିବାରୁ ବ୍ୟାଟେରୀ କିମ୍ବା ଇଲେକ୍ଟ୍ରିକାଲ୍ ସିଷ୍ଟମ୍ରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ମଧ୍ୟ ତଦନ୍ତର ବିଷୟ ହୋଇପାରେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।


