ଭୁବନେଶ୍ୱର: ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ନିଶା ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି।
ସ୍ଥାନୀୟ ରେଳ ଅଡିଟୋରିୟମରେ କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମ **‘ଜୀବନ ଜିନ୍ଦାବାଦ-୨.୦’**ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ; ଏହା ପରିବାର ଓ ସମାଜ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ।
ନିଶା କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ଜାରି ରଖିବେ ବୋଲି ସେ କହିଛନ୍ତି।
ଏପ୍ରିଲ ପହିଲାରୁ ପ୍ରସ୍ତୁତ ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ଧରି ରାଜ୍ୟରେ ନୂଆ ମଦ ଦୋକାନକୁ ଅନୁମତି ଦିଆଯିବ ନାହିଁ। ନିଶା ନିୟନ୍ତ୍ରଣ ଦିଗରେ ଏହା ସରକାରଙ୍କ ଏକ ବଡ଼ ନୀତିଗତ ପଦକ୍ଷେପ ବୋଲି ମନେ କରାଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ମୃତ୍ୟୁ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।
ଗତବର୍ଷ ଆରମ୍ଭ ହୋଇଥିବା ‘ଜୀବନ ଜିନ୍ଦାବାଦ’ ଅଭିଯାନ ଆତ୍ମହତ୍ୟା ପ୍ରବୃତ୍ତି ରୋକିବାରେ ସଫଳ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ‘ଜୀବନ ଜିନ୍ଦାବାଦ-୨.୦’ ଜରିଆରେ ଯୁବବର୍ଗଙ୍କୁ ନିଶାଠାରୁ ଦୂରେଇ ରଖି ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରାଯାଉଛି।
ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ ରଖିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଶିକ୍ଷାନୁଷ୍ଠାନ ନିକଟରେ ଥିବା ପାନ ଦୋକାନ ଓ ନିଶା ସାମଗ୍ରୀ ବିକ୍ରି ଉପରେ ମଧ୍ୟ କଡ଼ା ନଜର ରଖାଯିବ।
ତମାଖୁ ଓ ନିକୋଟିନ୍ଯୁକ୍ତ ପାନ ମସଲା ଏବଂ ଗୁଟ୍କାର ଉତ୍ପାଦନ ଓ ବିକ୍ରୟକୁ ରୋକିବା ଦିଗରେ ମଧ୍ୟ କଠୋର ପଦକ୍ଷେପ ନିଆଯିବ। ଶିକ୍ଷାନୁଷ୍ଠାନ ନିକଟରେ ଏଭଳି ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ଉକୁ ଜୋରଦାର କରାଯିବ।
ଚୋରା ମଦ ଏବଂ ବିଷାକ୍ତ ମଦ କାରବାରକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି। ଅବୈଧ ମଦ କାରବାର ଉପରେ ନିୟମିତ ଚଢ଼ଉ ସହ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ।
ନିଶାମୁକ୍ତ ଓଡ଼ିଶା ପାଇଁ ବ୍ରାଉନସୁଗାର ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ଉପରେ ପୁଲିସର ଧରପଗଡ଼କୁ ଆହୁରି ଜୋରଦାର କରାଯିବ। ବିଶେଷକରି ଯୁବପିଢ଼ି ଯେପରି ଡ୍ରଗ୍ସ କବଳରେ ନପଡ଼ନ୍ତି, ସେଥିପାଇଁ ସଚେତନତା ସହ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯିବ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ୨୦୨୯ ଶେଷ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାର ଲକ୍ଷ୍ୟ ଘୋଷଣା କରାଯାଇଥିବା ବେଳେ ଏହାକୁ ସାକାର କରିବା ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୁଲିସର ‘ନିଶାମୁକ୍ତ ଭାରତ’ ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ୱେବସାଇଟ୍ର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ନିଶା ବିରୋଧୀ ସଚେତନତା ଓ ସୂଚନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରାଯିବ।
କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ‘ଜୀବନ ଜିନ୍ଦାବାଦ’, ‘ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ’ ଭଳି ସଚେତନତାମୂଳକ ପ୍ରଦର୍ଶନୀ ହୋଇଥିଲା। ଏଥିସହ ‘ଭୂତ ମଣିଷର ନିଶାକୁ ନା’ ନାମକ ସଚେତନତାମୂଳକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା।
ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ବିଶିଷ୍ଟ ଅତିଥି, ଛାତ୍ରଛାତ୍ରୀ ଓ ବହୁ ସଂଖ୍ୟକ ଯୁବବର୍ଗ ଉପସ୍ଥିତ ଥିଲେ।


