ବ୍ରଜରାଜନଗର: ଜମିବାଡ଼ି ବିବାଦକୁ ନେଇ ଘରୋଇ କଳହରୁ ଘଟିଲା ଭୟଙ୍କର ହତ୍ୟାକାଣ୍ଡ। ନିଜ ବଡ଼ ଭାଇଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗରେ ସାନ ଭାଇକୁ ଅଟକ ରଖିଛି ପୁଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ। ପୁଲିସ ସୂଚନା ଅନୁସାରେ, ମୃତକ ହେଲେ ଅଢ଼ାପଡ଼ା (ଖପରପଡ଼ା) ଅଞ୍ଚଳର ସୁଦର୍ଶନ ଓରାମ (୩୯)। ତାଙ୍କ ସାନ ଭାଇ କିଶୋର ଓରାମ (୩୫)ଙ୍କୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ପୁଲିସ ଅଟକ ରଖିଛି।
ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଜମିବାଡ଼ିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ରବିବାର ଏହି ବିବାଦକୁ ନେଇ ପୁଣିଥରେ ଦୁଇ ଭାଇଙ୍କ ମଧ୍ୟରେ କଳହ ହୋଇଥିଲା। କ୍ରମେ ଘରୋଇ କଳହ ଉଗ୍ର ରୂପ ନେଇଥିଲା। ଏହାପରେ କିଶୋର ଏକ କାଠ ଫାଳିଆରେ ସୁଦର୍ଶନଙ୍କୁ ଆକ୍ରମଣ କରିଥିବା ପୁଲିସ କହିଛି।
ଆକ୍ରମଣରେ ସୁଦର୍ଶନ ଗୁରୁତର ଆହତ ହୋଇଥିଲେ। ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖବର ପାଇ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ତଦନ୍ତ ସମୟରେ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି। ଘଟଣାର ପ୍ରକୃତ କାରଣ ଓ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ପରିସ୍ଥିତି ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ଏହି ଘଟଣାକୁ ନେଇ ଲଖନପୁର ଥାନାରେ କେସ୍ ନମ୍ବର ୨୭୪, ତାରିଖ ୦୪.୧୦.୨୦୨୬, ବିଏନ୍ଏସ୍ର ଧାରା ୧୦୩(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତ କିଶୋର ଓରାମଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତଦେହକୁ ଜବତ କରି ପୁଲିସ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରଖିଛି। ତଦନ୍ତ ପରେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।


