ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଶାଖାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୮ଟା ସମୟରେ ମୁଖ୍ୟ ଡାକଘର ସମ୍ମୁଖରେ ଥିବା ବ୍ୟାଙ୍କ ଶାଖାରୁ ଧୂଆଁ ବାହାରୁଥିବା ଦେଖାଯିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ଅଗ୍ନିକାଣ୍ଡରେ ବ୍ୟାଙ୍କର କିଛି କାଗଜପତ୍ର ସହ ଆସବାବପତ୍ର ଜଳିପୋଡ଼ିଥିବା ସୂଚନା ମିଳିଛି। ତେବେ ନିଆଁ ଓ ଧୂଆଁରେ ବ୍ୟାଙ୍କ ଭିତର ଅଞ୍ଚଳ ଭରିଯାଇଥିବାରୁ ଠିକ୍ କେତେ ପରିମାଣର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ପ୍ରାଥମିକ ଭାବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ସୁନ୍ଦରଗଡ଼ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବ୍ୟାଙ୍କରେ ନିଆଁ ଲାଗିବା ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ଅଗ୍ନିଶମ ବାହିନୀର ତତ୍ପରତାରେ ନିଆଁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିକାଣ୍ଡରେ ପ୍ରକୃତ କ୍ଷୟକ୍ଷତି କେତେ ହୋଇଛି ଏବଂ ନିଆଁ ଲାଗିବାର ନିଶ୍ଚିତ କାରଣ କ’ଣ, ସେନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ମିଳିବ।


