ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଗସ୍ତ ସମୟରେ ସେ କୋରାପୁଟ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ। ହାଲ୍ ପରିଦର୍ଶନ କରି ଶକ୍ତି ଇଞ୍ଜିନ ସହିତ ଜଡ଼ିତ ନୂତନ ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ସୁନାବେଡ଼ାସ୍ଥିତ ହାଲ୍ର ସ୍ୱତନ୍ତ୍ର ହେଲିପ୍ୟାଡ୍ରେ ଅବତରଣ କରିବା ପରେ ସିଧାସଳଖ ହାଲ୍ ପରିସରକୁ ଯିବେ । ସେଠାରେ ୟୁନିଟ୍ରେ ଚାଲିଥିବା ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଉତ୍ପାଦନ ଓ ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଅବଗତ ହେବେ। ହାଲ୍ ଡିଭିଜନ୍ ଦ୍ୱାରା ୨,୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତରର ଏକ ଅଭୂତପୂର୍ବ ମାଇଲଖୁଣ୍ଟ କାର୍ଯ୍ୟକ୍ରମକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ସମାରୋହ ଭାରତର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ନିର୍ମାଣ କ୍ଷମତା ତଥା ସଶସ୍ତ୍ର ବାହିନୀର ପ୍ରସ୍ତୁତି କ୍ଷେତ୍ରରେ ହାଲ୍ କୋରାପୁଟର ପ୍ରାୟ ଛଅ ଦଶନ୍ଧିର ଅବଦାନକୁ ପ୍ରଦର୍ଶିତ କରିବ। ଏହି ଅବସରରେ ୨୧୮ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଶକ୍ତି ଇଞ୍ଜିନର ଦ୍ୱିତୀୟ ଉତ୍ପାଦନ ଲାଇନର ମଧ୍ୟ ଶୁଭାରମ୍ଭ କରାଯିବ। ଏହି ବର୍ଦ୍ଧିତ କ୍ଷମତା ଦେଶୀୟ ହେଲିକପ୍ଟର ପ୍ଲାଟଫର୍ମ, ଯେପରିକି ‘ଧ୍ରୁବ’ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଏବଂ ‘ପ୍ରଚଣ୍ଡ’ ଲାଇଟ୍ କମ୍ବାଟ୍ ହେଲିକପ୍ଟରର ବୃଦ୍ଧିପାଉଥିବା ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ। ଏହି ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଉତ୍ପାଦନ ସଚିବ ସଞ୍ଜୀବ କୁମାର ଏବଂ ହାଲ୍ର ସିଏମ୍ଡି ରବି କେ.ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଆଧିକାରିକ ଉପସ୍ଥିତ ରହିବେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି ।


