ଭୁବନେଶ୍ୱର: ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର (ଲିଗାଲ ହେୟାର ସାର୍ଟିଫିକେଟ୍) କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ୟୁନିଟ୍-୬ କେଶରୀ ନଗର ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ନିରଞ୍ଜନ ସିଂହ। ତଦନ୍ତ ରିପୋର୍ଟ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ହାଣ୍ଡେଡ୍ ଗିରଫ କରିଛି।
ସୂଚନା ଅନୁଯାୟୀ, ଆବେଦନକାରୀ ନିଜ ମା’ ଓ ସାନ ଭାଇଙ୍କ ମୃତ୍ୟୁ ପରେ ଆବଶ୍ୟକୀୟ କାଗଜପତ୍ର ସହ ଗତ ସେପ୍ଟେମ୍ବର ୯ ତାରିଖରେ ଅନଲାଇନ୍ରେ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏହାପରେ ସେ ଆରଆଇ ନିରଞ୍ଜନ ସିଂହଙ୍କୁ ୩-୪ ଥର ଭେଟି ତଦନ୍ତ ପ୍ରକ୍ରିୟା ଶୀଘ୍ର ଆଗକୁ ବଢ଼ାଇବାକୁ ଅନୁରୋଧ କରିଥିଲେ। ମାତ୍ର କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ଆରଆଇ ଏଥିରେ ବିଳମ୍ବ କରିବା ସହ ଅନଲାଇନ୍ ଅନୁମୋଦନ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।
ନିରୁପାୟ ହୋଇ ଆବେଦନକାରୀ ଏ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଅଭିଯୁକ୍ତ ଆରଆଇଙ୍କୁ କାବୁ କରିଥିଲା। ଏହି ଘଟଣାରେ ଦୁର୍ନୀତି ନିବାରଣ ଆଇନ (୨୦୧୮)ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।


